ଦୁଇ ମୋଟର ସାଇକେଲ ଚୋର ଗିରଫ, ୨ ବାଇକ୍ ଜବତ

ଦୁଇ ମୋଟର ସାଇକେଲ ଚୋର ଗିରଫ, ୨ ବାଇକ୍ ଜବତ

ଭୁବନେଶ୍ବର, ୧୧/୧୨ : ଦୁଇ ବାଇକ୍ ଚୋର ଗିରଫ । ନୟାପଲ୍ଲୀ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଟାଙ୍ଗି ଥାନା ଅନ୍ତର୍ଗତ ଛକଡିପୁରର ଦୁଷ୍ମନ୍ତ ପ୍ରଧାନ ଓରଫ ମିଟୁ(୩୯) ଓ ନାଚୁଣି ଥାନା ଅନ୍ତର୍ଗତ ହରିପୁରଶାସନର ଜୟନ୍ତ ଜେନା ଓରଫ ଟିକି (୩୭) । ଉଭୟଙ୍କୁ ପୋଲିସ ଗିରଫ କରି କେଶ ନଂ ୫୨୩/୨୪ରେ ଏକ ମାଲା ରୁଜୁ କରି କୋର୍ଟ ଚାଲାଣ କରିଛି । 

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୧ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଅଭିଯୋଗକାରୀ କୁମାର ପ୍ରଳୟ ରଞ୍ଜନ ବେହେରା ସାହି ସ୍ଥିତ ବର୍ମା ସ୍ପୋର୍ଟ୍ସକୁ କିଛି ସ୍ପୋର୍ଟ୍ସ ସାମଗ୍ରୀ କିଣିବା ପାଇଁ ଯାଇଥିଲେ । ପରେ ସେଠାରେ ସେ ତାଙ୍କର ମୋଟରସାଇକେଲଟିକୁ ପାର୍କିଂ କରି ରଖିଥିଲେ । ଏହି ସମୟରେ ଦୁଷ୍ମନ୍ତ ଓ ଜୟନ୍ତ ସୁଯୋଗ ଦେଖି ସେଠାରୁ ଅଭିଯୋଗକାରୀଙ୍କ ମୋଟରସାଇକେଲଟିକୁ ଚୋରୀ କରି ନେଇ ଯାଇଥିଲେ । ଅଭିଯୋଗକାରୀ ଫେରିବା ପରେ ତାଙ୍କର ମୋଟରସାଇକେଲଟିକୁ ପାର୍କିଂ ସ୍ଥାନରୁ ପାଇ ନ ଥିବାରୁ ସ୍ଥାନୀୟ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚରୁ ଚୋରୀ ହୋଇଥିବା ଜାଣି ପାରି ଏ ନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ସହ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଗତକାଲି ସକାଳ ୮ ଟା ସମୟରେ ଅଭିଯୁକ୍ତ ଦୁହିଁଙ୍କୁ ନାଚୁଣୀରୁ ଜୟଦେବ ବିହାରକୁ ଉକ୍ତ ଚୋରୀ ମୋଟରସାଇକେଲରେ ଆସୁଥିବା ସମୟରେ କାବୁ କରି ନେଇଥିଲେ । ପଚରାଉଚରାବେଳେ ଅଭିଯୁକ୍ତ ଦୁହେଁ ମୋଟରସାଇକେଲର ମାଲିକାନା ପ୍ରମାଣିତ ନ କରିପାରିବାସ୍ଥଳେ ବର୍ମା ସ୍ପୋର୍ଟ୍ସ ସାମ୍ନାରୁ ଚୋରୀ କରିଥିବା ସ୍ଵୀକାର କରିଥିଲେ। ଅଧିକ ତଦନ୍ତ ବେଳେ ଅଭିଯୁକ୍ତ ଦୁହେଁ ଅନ୍ୟ ଏକ ମୋଟରସାଇକେଲକୁ ଗାଡକଣା ଇଲେକଟ୍ରିକ ଅଫିସ ନିକଟରୁ ଚୋରୀ କରିଥିବା ପ୍ରକାଶ କରିଥିଲେ ଓ ଦୁଷ୍ମନ୍ତ ତାଙ୍କ ଘରେ ମୋଟରସାଇକେଲଟିକୁ ଲୁଚାଇ ରଖିଥିବା ଦର୍ଶାଇଥିଲେ ।

 ପୁଲିସ ଅଭିଯୁକ୍ତ ଦୁହିଁଙ୍କ ହେପାଜତରୁ ଦୁଇଟି ମୋଟରସାଇକେଲ ଜବତ କରିଥିଲେ । ଅଭିଯୁକ୍ତମାନଙ୍କର ପୂର୍ବ ଚରିତ ଅପରାଧିକ ଯାଞ୍ଚ ବେଳେ ମଞ୍ଚେଶ୍ଵର, ବାଣପୁର ଓ ଟାଙ୍ଗୀ ଥାନାରେ ସେମାନଙ୍କ ନାମରେ ସମୁଦାୟ ୫ଟି ଅପରାଧିକ ମାମଲା ରହିଥିବା ଜଣା ପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।