କୁନ୍ତଳା କୁମାରୀଙ୍କ ତିରୋଧାନ ଦିବସ ପାଳିତ

କୁନ୍ତଳା କୁମାରୀଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, ୫/୯ : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କୁନ୍ତଳା କୁମାରୀ ସାବତଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କୁନ୍ତଳା କୁମାରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସେ ଥିଲେ ଅମୃତ ଅଭିପ୍ସାର କବି। ତାଙ୍କର ଗଭୀର ମମତ୍ବବୋଧ ଯୋଗୁଁ ଓଡ଼ିଆ ଭାଷା ଓ ସାହିତ୍ୟ ସହ ସେ ଯୋଡି ହେଇ ରହିଥିଲେ ସାରା ଜୀଵନ। ତାଙ୍କ ଦ୍ବାରା ରଚିତ କବିତା, ଉପନ୍ୟାସ ଓ ପ୍ରବନ୍ଧରେ ସେ ଅସହାୟ ନାରୀମାନଙ୍କର ଆର୍ଥିକ,ଶୈକ୍ଷିକ ଓ ଚେତନା ଗତ ବିକାଶ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ସମାଧାନର ପନ୍ଥା ମଧ୍ୟ ଦେଖାଇଛନ୍ତି। ତାଙ୍କ ଦୃଷ୍ଟିରେ ନାରୀ ଦିବ୍ୟ ଶକ୍ତିର ଅଧିକାରିଣୀ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଉତ୍କଳ ଭାରତୀଙ୍କ ସାରସ୍ଵତ ସାଧନାର ମୂଳମନ୍ତ୍ର ଥିଲା ଉତ୍କଳର ଭୂମି, ଭାଷା ଓ ତା'ର ଅଧିବାସୀଙ୍କ ଉନ୍ନତି ।  ତାଙ୍କର ଏଭଳି ଜାତିପ୍ରୀତି ପାଇଁ ପୁରୀ ର ମହିଳା ବନ୍ଧୁ ସମିତି ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ଉତ୍କଳ ଭାରତୀ ଉପାଧି। ଅସାଧାରଣ ବାଗ୍ମୀତା ଓ ସାଂଗଠନିକ ଦକ୍ଷତା ତାଙ୍କ ବ୍ୟକ୍ତିତ୍ଵର ଅନ୍ୟ ଏକ ବିଶେଷତ୍ଵ। କାଳିବୋହୁ ତାଙ୍କର ଏକ ସଫଳ ସୃଷ୍ଟି। ସେ କାଳି ବୋହୁ ଭିତରେ ଭରି ଦେଇଛନ୍ତି ଏକ କ୍ରିୟାସ୍ନାତ ସଂସ୍କାରିତ ଭାବନା।

ଏହା ସହ କବିଙ୍କ ଭ୍ରାନ୍ତି, ନଅତୁଣ୍ଡି,ପରଶମଣି ଓ ରଘୁ ଅରକ୍ଷିତ ଆଦି ତାଙ୍କର ସଫଳ ସୃଷ୍ଟି ବୋଲି ମତ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସୈାମ୍ୟଜିତ ମହାପାତ୍ର, ରେଖା ରାଣୀ ଗିରି,ଭାଗ୍ୟଶ୍ରୀ କିଶାନ ପ୍ରମୁଖ କବୀ ଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ଅଧ୍ୟକ୍ଷତା କରୁଥବା ଶିକ୍ଷୟିତ୍ରୀ ଶ୍ରୀମତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଠ ଶିକ୍ଷକ ବିମଳ ଚନ୍ଦ୍ର ମନ୍ତ୍ରୀ, ବିପିନ ବିହାରୀ ସାମନ୍ତ ସିଂହାର, ତରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।