ଓଏମସି ଖଣିରେ ସାଂସଦ ପ୍ରତିନିଧିଙ୍କ ଗୁଣ୍ଡାରାଜ୍ !
ଭୁବନେଶ୍ୱର,୨୩/୯ : ସାଂସଦ ପ୍ରତିନିଧିଙ୍କ ଦାଦାଗିରି ! ଏଭଳି ଏକ ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲାର କୋଇଡାସ୍ଥିତ ଓଏମସିର ଖଣ୍ଡାଧାର କୁରୁମିତ୍ର ମାଇନସରୁ । ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ସାଜିଥିବା ବାଗୁନ୍ ଗାଗରାଇଙ୍କ କାର୍ଯ୍ୟ କଳାପ ସମ୍ପର୍କରେ ଅନେକ ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି । ସାଂସଦଙ୍କ ନାଁ ନେଇ ବିଜେପିର ଏହି ସ୍ଥାନୀୟ ନେତା ଖଣି ଟ୍ରାନସପୋର୍ଟିଂ କାରବାର ନିଜ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବର୍ତ୍ତମାନର ବ୍ୟବସ୍ଥାରେ ଥିବା ଟ୍ରାନସପୋର୍ଟିଂ ନିୟୋଜନ ସଂସ୍ଥା ଗୁଡ଼ିକର ଅପସାରଣ ପାଇଁ ସେ କଳବଳ କୌଶଳ ଖଟାଇଛନ୍ତି । ଯେଉଁଥିରେ ଜୁଏଲ ଓରାମଙ୍କୁ ମୋହରା ସଜାଯାଇଛି ।
ଗତ ୧ତାରିଖରେ ସାଂସଦ ପ୍ରତିନିଧି ଲେଟର ପ୍ୟାଡରେ ବାଗୁନ୍ ଗାଗରାଇ ଭୁବନେଶ୍ୱରର ମହାଶକ୍ତି ଫର୍ଜିଂ ପ୍ରାଇଭେଟ୍ ଲିମିଟେଡକୁ ଏକ ପତ୍ର ଲେଖିଛନ୍ତି । ଖଣ୍ଡାଧାର କୁରୁମିତ୍ର ମାଇନ୍ସରେ ଟ୍ରାନସପୋର୍ଟିଂ କାର୍ଯ୍ୟରେ ନିୟୋଜିତ ମା’ ଲକ୍ଷ୍ମୀ ଏବଂ ପି ଇନଫ୍ରା ସଂସ୍ଥାକୁ ବିଦା କରି ତାଙ୍କ ଜାଗାରେ ସ୍ଥାନୀୟ ଟ୍ରାନସପୋର୍ଟିଂ ସଂସ୍ଥା ଓରାମ୍ ଲଜିଷ୍ଟିକକୁ କାମ ଦେବା ପାଇଁ ଚାପ ପକାଇଛନ୍ତି ବାଗୁନ୍। ନଚେତ୍ କୌଣସି ଅଘଟଣ ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି ।
ଏହାର ଦୁଇଦିନ ପରେ ଗତ ୩ ତାରିଖରେ କୋଇଡା ଓଏମସିର ରିଜିଓନାଲ୍ ମ୍ୟାନେଜରଙ୍କୁ ବାଗୁନ୍ ଲେଖିଥିବା ଅନ୍ୟ ଏକ ପତ୍ରରେ ଟ୍ରାନସପୋର୍ଟିଂ କାର୍ଯ୍ୟ ସ୍ଥାନୀୟ ଲୋକଙ୍କୁ ନ ଦେଲେ ରାଜ୍ୟ ବାହାରକୁ ଯାଉଥିବା କଞ୍ଚାମାଲ ଚାଲାଣକୁ ବନ୍ଦ କରାଯିବ ବୋଲି ଧମକ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି କ୍ରମେ ସାଂସଦ ଜୁଏଲ୍ ଓରାମଙ୍କ ଏହା ନିଷ୍ପତ୍ତି ବୋଲି ସେ ଜଣାଇଥିଲେ । କେନ୍ଦୁଡିହିସ୍ଥିତ ଅଫିସ ସମରାଓରାମ୍ କମ୍ପ୍ଲେକ୍ସକୁ ଟ୍ରାନସପୋର୍ଟରମାନେ ଆସି ଆଲୋଚନା କରନ୍ତୁ । ଏଥିପାଇଁ ୩ ଦିନ ସମୟ ଦିଆଯାଉଛି । ଯଦି କେହି ଟ୍ରାନସପୋର୍ଟର କିମ୍ବା ଫ୍ୟାକ୍ଟ୍ରି ମାଲିକ ଆଲୋଚନାକୁ ନ ଆସନ୍ତି ତେବେ ଟ୍ରାନସପୋର୍ଟିଂ ବନ୍ଦ କରିବାକୁ ସାଂସଦଙ୍କ ନିର୍ଦ୍ଦେଶ ଥିବା ସେ ଏଥିରେ ଲେଖିଥିଲେ ।
ସେହିଭଳି, ଦେଓଝର ଜେଏସପିଏଲ ମ୍ୟାନେଜର, ବିଲେଇପଦାଙ୍କୁ ସେହି ୩ ତାରିଖରେ ଆଉ ଏକ ଚିଠି କରିଥିଲେ ବାଗୁନ୍ ଗାଗରାଇ । ଖଣ୍ଡାଧାର ମାଇନ୍ସରୁ ପ୍ରତିଦିନ ହଜାର ହଜାର ଟନ୍ ର କଞ୍ଚାମାଲ ଦେଓଝର ଜେଏସପିଏଲ ବିଲେଇପଦାକୁ ଯାଉଥିବା ବେଳେ ଗୋଟେ ଲୋକାଲ୍ ଟ୍ରାନସପୋର୍ଟରକୁ ସଂଯୋଗ କରିବାକୁ ସେ ଚାପ ପକାଇଥିଲେ । ଏହା ନ ହେଲେ ଆଗାମୀ ଦିନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ ।
ସୂଚନାଥାଉକି, ସୁନ୍ଦରଗଡ଼ ଜିଲ୍ଲାର କୋଇଡାରେ ଥିବା ଖଣ୍ଡାଧାର କୁରୁମିତ୍ର ମାଇନସ୍(ଓଏମସି)ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ଭାବେ ନିଯୁକ୍ତିପତ୍ର ଧରି ବୁଲୁଛନ୍ତି ସ୍ଥାନୀୟ ଅଞ୍ଚଳା ବିଜେପି ନେତା ବାଗୁନ୍ ଗାଗରାଇ । ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଗ୍ରାମରେ ତାଙ୍କ ଘର । ଅଗଷ୍ଟ ୨୫ ତାରିଖରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ୍ ଙ୍କ ସରକାରୀ ଲେଟର ପ୍ୟାଡ୍ ରେ ଏବଂ ତାଙ୍କ ଦସ୍ତଖତରେ କୋଇଡାସ୍ଥିତ ଓଏମସିର ରିଜିଓନାଲ୍ ମ୍ୟାନେଜରଙ୍କୁ ଏହାର ଚିଠି ହୋଇଛି ।
ଜୁଏଲ୍ ଙ୍କ ଦସ୍ତଖତରେ ହୋଇଥିବା ଚିଠିରେ ଶ୍ରୀ ବାଗୁନ୍ ଗାଗରାଇଙ୍କୁ ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦଙ୍କ ପ୍ରତିନିଧି ଭାବେ ଅଧିକୃତ କରାଯାଇଛି । ସାଂସଦଙ୍କ ପକ୍ଷରୁ ସେ ବିଭିନ୍ନ କଥା ବୁଝାବୁଝି କରିବେ । ବିଭିନ୍ନ କାର୍ୟ୍ୟ ସମ୍ପର୍କରେ ଅଫିସରମାନଙ୍କ ସହ କଥା ହେବେ । ସବୁ ବୈଠକରେ ଯୋଗଦେଇ ସାଂସଦଙ୍କ ପକ୍ଷରୁ ଅନୁମୋଦନ ଏବଂ ପରାମର୍ଶ ରଖିବେ ବୋଲି ଉଲ୍ଲେଖ କରାଯାଇଛି ।
ଖଣି ବ୍ୟବସାୟିକ ସଂସ୍ଥାରେ ସାଂସଦଙ୍କ ପ୍ରତିନିଧି ରହିବା ଆଶ୍ଚର୍ୟ୍ୟ ଲାଗୁଥିଲେ ବି କୋଇଡାରେ ତାହା ଦେଖିବାକୁ ମିଳିଛି । ଏ ନେଇ ଜୁଏଲ୍ ଓରାମ୍ ଙ୍କର ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ବାଗୁନ୍ ଗାଗରାଇଙ୍କର କାର୍ୟ୍ୟାକଳାପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Editor 


