୧୦ମହିଳା କ୍ୟାଡ଼ର ମାଓବାଦୀଙ୍କ ସମେତ ୨୨ମାଓବାଦୀ ଆତ୍ମ ସମର୍ପଣ

୧୦ମହିଳା କ୍ୟାଡ଼ର ମାଓବାଦୀଙ୍କ ସମେତ ୨୨ମାଓବାଦୀ ଆତ୍ମ ସମର୍ପଣ

ଭୁବନେଶ୍ବର,୨୩/୧୨ : ମାଓବାଦୀ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରି ସମାଜ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ଡିଭିଜନାଲ କମିଟି ସଦସ୍ୟ (ଡିଭିସିଏମ୍), ୬ଜଣ ଏରିଆ କମିଟି ସଦସ୍ୟ (ଏସିଏମ୍) ସମେତ ପାର୍ଟି ମେମ୍ବର ସାମିଲ ରହିଛନ୍ତି । ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ୧୦ଜଣ ମହିଳା କ୍ୟାଡ଼ର ମାଓବାଦୀ ରହିଛନ୍ତି ।   

ଏହାସହ ୦୧ଟି AK-୪୭ ରାଇଫଲ୍, ୨ଟି INSAS ରାଇଫଲ୍, ୭.୬୨ mm SLR ରାଇଫଲ୍, ୩ଟି .୩୦୩ ରାଇଫଲ୍ ଏବଂ ୨ଟି ସିଙ୍ଗଲ୍-ସଟ୍ ରାଇଫଲ୍, ୧୫୦ରାଉଣ୍ଡ ଜୀବନ୍ତ ଗୁଳି, ୯ଟି ମାଗାଜିନ୍, ୨୦କିଲୋ ବିସ୍ଫୋରକ, ୧୩ଟି ଆଇଇଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ନିକଟରେ ହସ୍ତାନ୍ତର କରିଥିଲେ । ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି(DKSZC)ର ଡିସିଏମ, କମାଣ୍ଡର ଲିଙ୍ଗେ ଓରଫ ମୁୟେ ମଡକାମ ଏବଂ ଏସିଏମ, କମାଣ୍ଡର, ବାମନ ମଡକାମ, ଏରିଆ କମିଟି ମେମ୍ବର (ଏସିଏମ), ସୁକ୍କା ମୁଚାକି, ଆଇତୁ ଆଉଲାମି,କୋସା କାବାସି, ବତି ମାଡ଼କାମ ଓରଫ ଅଞ୍ଜୁ, ଜୋଗି ମୁଚାକି, ରିତା ପୋଡିଆମ, ଜୋଗୀ ସୋଡି, ଭୀମେ କଲମୁ, ମଙ୍ଗଲି ବାଞ୍ଜାମି, ଜୋଗା ମୁଚାକି, ଆଡମେ ମୁଚାକି, ମାଡଭି କୋସା, କୁଞ୍ଜାମ ଉରା, ମାଡା ମାଡଭି, ମୁଚାକି ଆଡମା, ଦେବା ମାଡଭି, ଅର୍ଜୁନ ମାଡଭି, ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ୨ ଜଣ ସାଗର ଓରଫ ସନ୍ନା ପୁନେମ, ସୋମେୟ ମିଡ଼ିଆମ୍ ଏବଂ ଗଡଚିରଲି ଏରିୟା କମିଟିର ଅନିଲା ଓରଫ ବୁଦ୍ରି ମିଡିଆମ୍ । ରାଜ୍ୟ ସରକାରଙ୍କ ନୂତନ ଆତ୍ମ ସମର୍ପଣ ତଥା ପୁନର୍ବାସ ନୀତି ଅନୁଯାୟୀ ୨୨ଜଣ ଆତ୍ମସମର୍ପଣ କରିଥିବା କ୍ୟାଡ଼ରଙ୍କୁ ୧ କୋଟି ୮୪ଲକ୍ଷ ୨୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହାସହ ପ୍ରତ୍ୟେକଙ୍କୁ ₹୨୫ ,୦୦୦/- ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର, ବାହାଘର ନିମନ୍ତେ ୨୫ ହଜାର ଟଙ୍କା, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ଵାସ୍ଥ ବୀମା, ମାଗଣାରେ ରାସନ କାର୍ଡ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତ ଆଇନସମ୍ମତ ସୁବିଧା, ସୁରକ୍ଷା ଓ ପୁନର୍ବାସ ସହାୟତା ପ୍ରଦାନ କରାଯିବ।

ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ, ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ରାସ୍ତା ଓ ସରକାରୀ ସମ୍ପତ୍ତି ଧ୍ୱଂସ କରିବା ଭଳି କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଉପରେ ବିଭିନ୍ନ ଥାନାରେ ଗୁରୁତର ମାମଲା ମଧ୍ୟ ରୁଜୁ ଥିଲା। ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଉପରେ ଆସ୍ଥା ରଖି ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନିଷ୍ପତ୍ତିକୁ ଡିଜିପି ଶ୍ରୀ ଖୁରାନିଆ ସ୍ଵାଗତ କରିଛନ୍ତି । ଏହାସହ ସମାଜରେ ସମ୍ମାନଜନକ ଭାବେ ଜୀବନଯାପନ ପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ହିଂସାର ପଥ ପରିତ୍ୟାଗ କରି ପୋଲିସ ସମୁଖରେ ଆତ୍ମ ସମର୍ପଣ କରି ସାଧାରଣ ଜୀବନଯାପନ କରିବାକୁ ଡିଜିପି ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଡିଆଇଜି(ଏସଆଇଡବ୍ଲ୍ୟୁ) ଅଖୀଳେଶ୍ଵର ସିଂ, ଡିଆଇଜି( ଦକ୍ଷିଣାଞ୍ଚଳ) ଡ଼. କନୱର ବିଶାଲ ସିଂ,ଜିଲ୍ଲାପାଳ ମାଲକାନଗିରି, ସୋମେଶ ଉପାଧ୍ୟାୟ, ଏସପି ମାଲକାନଗିରି ବିନୋଦ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।