ସହଦେବ ନାୟକ ହତ୍ୟା ମାମଲା ; ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଗିରଫ

ଭୁବନେଶ୍ବର, ୧/୩ : ଢେଗା ଓରଫ ସହଦେବ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ନୟଗାଡ଼ ଜିଲ୍ଲାର ସୁଶାନ୍ତ ନାୟକ(୩୮) । ମଞ୍ଚେଶ୍ଵର ଥାନା ପୁଲିସ ଆଜି ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ, ମୃତ ଢେଗା ଓରଫ ସହଦେବ ନାୟକ ଅଭିଯୋଗକାରିଣୀଙ୍କ ସ୍ଵାମୀ, ଏବଂ ଉଭୟ ପରିବାର ସହ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ରହୁଥିଲେ । ପୂର୍ବ ବିବାଦକୁ କେନ୍ଦ୍ରକରି ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ସହଦେବ ନାୟକଙ୍କୁ ଜୀବନରୁ ମାରିଦେବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ଗତ ତା.୦୮.୦୧.୨୦୨୫ ରିଖ ସକାଳେ ଅଭିଯୁକ୍ତମାନେ ରସୁଲଗଡ ନିକଟବର୍ତ୍ତୀ ଲାଫ୍ରାଙ୍କ୍ଲିନ ହୋଟେଲ ସମୁଖସ୍ଥ ଜାତୀୟ ରାଜପଥ ଉପରେ ସହଦେବ ନାୟକଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମରଣାନ୍ତକ ଆକ୍ରମଣ ଫଳରେ ସହଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।
ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ, ପୁଲିସ ମାମଲାର ତଦନ୍ତ କରିବା ସହିତ ପୂର୍ବରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଆଜି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ପଚରାଉଚରାବେଳେ ଅଭିଯୁକ୍ତ ଜଣକ, ଏହି ହତ୍ୟା ମାମଲାରେ ନିଜ ସମ୍ପୃକ୍ତି ନେଇ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ କ୍ୟାପିଟାଲ ଥାନାରେ ଏକ ଚୋରୀ ମାମଲା ରହିଥିବା, ତଦନ୍ତରୁ ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।