ମନ୍ଦିର ଓ ଅର୍ଥନୀତି

ମନ୍ଦିର ଓ ଅର୍ଥନୀତି

ମନ୍ଦିର ମଣିଷ ଜୀବନ ର ମାନ ଦଣ୍ଡ। ମନ୍ଦିର ବିନା ତା ଜୀବନର ଅର୍ଥ ନାହିଁ। ଯାହାକୁ ସେ ସର୍ବସ୍ୱ ଭାବି ଥାଏ ତାକୁ ସେ ମନ୍ଦୀର ରେ ସ୍ଥାନ ଦେଇଥାଏ। ସେଇଠି ସେ ପୂଜା କରେ। ସେଇଠି ସେ ଶାନ୍ତି ପାଇଥାଏ। ନିଜର ଦୁଃଖ ଜଣାଏ। କେତେ ମାନସିକ କରେ। ରାଗି ଥିଲେ ଗାଳି ବି ଦିଏ। ଏହାର ଦ୍ବାର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା। ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ତଥାପି ବ୍ୟକ୍ତି ନିଜର ବୋଲି ମନେ କରେ। ଏଠି କଣ ଦେବତା ଖାଲି ପୂଜା ପାଆନ୍ତି? ଏହା କଣ ସମାଜର କୌଣସି କାମରେ ଲାଗେ ନି। ଏହା କେବଳ ଏକ ଦୁର୍ବଳ ମାନସିକତା ନା କଣ। କେତେ ଲୋକ କେତେ କଥା। କିଏ କହୁଛି ମନ୍ଦିର ଗଢ଼ି ଲାଭ କଣ ? ମନ୍ଦିର କଣ ରୋଜଗାର ଦେବ ? ମନ୍ଦିର କଣ ବେକାରୀ ସମସ୍ୟା ଦୂର କରିବ? ମନ୍ଦିର କଣ ଦେଶର ଉନ୍ନତିରେ ସହାୟକ ହେବ ? ଏଥି ପାଇଁ ଅର୍ଥ ଖର୍ଚ୍ଚ କରିବା ଉଚିତ୍ କି ? ଏମିତି ବହୁତ ପ୍ରଶ୍ନ ଉଠେ। ଆମେ ବ୍ୟକ୍ତିଗତ ଭାବେ ଚିନ୍ତା କରିବା ଉଚିତ୍। ସତରେ ମନ୍ଦିର ଗଢ଼ି କଣ ହେବ? ଆମେ ନିଜେ ଅନୁଧ୍ୟାନ କଲେ ସତ ଜାଣି ପାରିବା।

ମୁଁ ଯଦି ମୋ ଚିନ୍ତାଧାରା କୁ ନେଇ ବିଚାର କରୁଛି ତାହାହେଲେ ମତେ କେବଳ ଏଥିରେ ଆମ ମାନଙ୍କର ସ୍ଵାର୍ଥ ହିଁ ଦେଖା ଯାଉଛି। କେମିତି? ଚାଲନ୍ତୁ ଆଲୋଚନା କରିବା।ଯେତେବେଳେ ଗୋଟେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ, ନିଶ୍ଚିତ ଭାବେ ବହୁତ ଗୁଡ଼ିଏ ସାଧନର ଆବଶ୍ୟକତା ପଡେ। ତା ' ସହିତ କଞ୍ଚା ମାଲ ର ବି ଆବଶ୍ୟକତା ଥାଏ। କିଛି ଯନ୍ତ୍ରୀ, ପର୍ଯ୍ୟବେକ୍ଷକ, ଶ୍ରମିକ, କାରିଗର, ମିସ୍ତ୍ରୀ ଇତ୍ୟାଦି ନିଯୁକ୍ତ ହୋଇଥାଆନ୍ତି। ସମସ୍ତେ କିଛି ନା କିଛି ଆୟ ପାଇବେ। ଯୋଉ ସ୍ଥାନରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି ସେହି ସ୍ଥାନ ରେ ନୂତନ ଜନ ବସତି ଗଢ଼ି ଉଠେ। କାରଣ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଉପର ସ୍ତରରୁ ନେଇ ତଳ ସ୍ତର ପର୍ଯ୍ୟନ୍ତ ସମସ୍ତେ ସେଇ ଅଞ୍ଚଳ ରେ ବସ ବାସ କରନ୍ତି। ତାଙ୍କର ଆବଶ୍ୟକତା ଗୁଡ଼ିକୁ ପୁରଣ କରିବା ପାଇଁ ବିଭିନ୍ନ ଦ୍ରବ୍ୟ ଦରକାର ହୁଏ। ଏହି ଦ୍ରବ୍ୟ ଗୁଡ଼ିକ ମିଳିବ କେଉଁଠି? ଏହା କେବଳ ବଜାରରେ ହିଁ ମିଳିଥାଏ। ତେଣୁ ଏକ ନୂତନ ବଜାର ସୃଷ୍ଟି ହୁଏ। ବଜାର ଅର୍ଥାତ୍ ଉଭୟ କ୍ରେତା, ବିକ୍ରେତା ଏବଂ ଦ୍ରବ୍ୟ ସବୁର ସମାହାରକୁ ବୁଝାଏ। ଏଠାରେ ଦ୍ରବ୍ୟର ଅଦଳି ବଦଳି ହୋଇଥାଏ। ଏହା ସାଧାରଣତଃ ଅର୍ଥ ବଦଳରେ ହିଁ ମିଳିଥାଏ । କିନ୍ତୁ ଏଠାରେ ଯେଉଁ ଦ୍ରବ୍ୟସବୁ ମିଳେ ସେଗୁଡ଼ିକ ର ଉତ୍ପାଦନ ଆବଶ୍ୟକ । ସେଥି ପାଇଁ ଉଭୟ କୃଷି , ଶିଳ୍ପ ଓ ସେବା କ୍ଷେତ୍ର ର ଆବଶ୍ୟକତା ଅଛି। ଏଥି ସହିତ ଦ୍ରବ୍ୟ ର ଉତ୍ପାଦନ ପାଇଁ ସମସ୍ତ ସାଧନ ଏବଂ ବିଭିନ୍ନ ପ୍ରକାରର କଞ୍ଚା ମାଲ ର ଆବଶ୍ୟକତା ପଡ଼େ। ଏଥି ନିମନ୍ତେ ସମସ୍ତେ ଅନ୍ତଃନିର୍ଭରଶିଳ ହୋଇ ଯାଆନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ସମଗ୍ର ଅର୍ଥନୀତି ନିର୍ଭରଶୀଳ । ଏହା ଅନ୍ୟ ପକ୍ଷରେ ଅର୍ଥ ଉପାର୍ଜନର ପନ୍ଥା ଯୋଗାଇଥାଏ। ଯଦି ସେବା କ୍ଷେତ୍ର କୁ ଅନୁଧ୍ୟାନ କରିବା, ଏହା ସହଜେ ଅନୁମେୟ ଯେ ଏଠାରେ ମଧ୍ୟ ସମସ୍ତେ ନିୟୋଜିତ। ସେଇ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବିଦ୍ୟାଳୟ, ମହାବିଦ୍ୟାଳୟ,ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରଶାସନିକ କାର୍ଯ୍ୟାଳୟ , ଭୋଜନାଳୟ, ବିଶ୍ରାମାଗାର, ଧର୍ମଶାଳା, ବସ୍ ଷ୍ଟାଣ୍ଡ, ଗାଡ଼ି ରହଣି ସ୍ଥାନ ଇତ୍ୟାଦି ଗଢ଼ି ଉଠିଥାଏ। ଗମନା ଗମନର ସୁବିଧା ନିହାତି ଜରୁରୀ। ଏଥି ନିମନ୍ତେ ବସ୍ ଚଳା ଚଳ, ରେଳ ଚଳା ଚଳ, ଅଟୋ, ରିକ୍ସା, ଟ୍ୟାକ୍ସି, ଉଡାଜାହାଜ ଇତ୍ୟାଦି ସବୁର ସୁବିଧା ଆବଶ୍ୟକ। ପୁଣି ଭଲ ରାସ୍ତା, ରେଳ ବ୍ୟବସ୍ଥା, ବିମାନ ଚଳା ଚଳ ବ୍ୟବସ୍ଥା ଇତ୍ୟାଦି ଗଢ଼ି ଉଠିଥାଏ।

କେତେ ଲୋକଙ୍କୁ ଆହାର ଯୋଗାଏ ତାହାର ଠିକଣା ନାହିଁ।ଜାତି ପଚାରେ ନାହିଁ, ଧର୍ମ ପଚାରେ ନାହିଁ ଜି ବର୍ଣ୍ଣ ପଚାରେ ନାହିଁ କିନ୍ତୁ ବିନା ଅର୍ଥରେ ପ୍ରସାଦ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଏ। କାହାକୁ ନିରାଶ କରେ ନାହିଁ। ଦୁଃଖୀ କୁ ସାହାରା ଦିଏ।ଯୋଉଠି ସମାଜ ଶୁଣି ନଥାଏ କି ଦାୟିତ୍ଵ ନେଇ ନଥାଏ ସେଇଠି ମନ୍ଦିର ତା ଦାୟିତ୍ଵ ନିଏ। କିଏ ଜେବେ ଭାବିଛି କି ଏ ମନ୍ଦିର ନିର୍ମାଣ କରି ଆମ ପୁର୍ବ ପୁରୁଷ କେତେ ଉପକାର କରିଛନ୍ତି।

ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଏହା ଆମର ପାରମ୍ପରିକ ବୃତ୍ତି କୁ ବଞ୍ଚେଇ ରଖିଛି ଏବଂ ଏହାକୁ ଏକ ସୁନ୍ଦର ବଜାର ଦେଇଛି। ଉଦାହରଣ ସ୍ୱରୂପ ପୁରୀରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର। ଏଠି ପ୍ରତ୍ୟେକ ଦିନ ହଜାର ହଜାର କୁଢ଼ୁଆ ମହାପ୍ରସାଦ ପାଇଁ ଏବଂ ପୂଜା ପାଇଁ ଦୀପ ବ୍ୟବହାର ହୁଏ। ଏଥି ପାଇଁ ଶହ ଶହ କୁମ୍ଭାର ନିଯୁକ୍ତ ହୋଇଥାଆନ୍ତି। ଦୀପ ଜାଳିବା ପାଇଁ ସଳିତାର ଆବଶ୍ୟକତା ଅଛି। ଏହା ପ୍ରଚୁର ପରିମାଣରେ ଉତ୍ପାଦିତ ହୋଇଥାଏ।ଏହା ମନ୍ଦିର ବାହାରେ ମଧ୍ୟ ବିକ୍ରୀ ହୁଏ। ଏହାର ଏକ ସ୍ବତନ୍ତ୍ର ବଜାର ଅଛି। ଲୋକମାନେ ଏହାକୁ ବହୁଳ ପରିମାଣରେ କିଣି ଥାଆନ୍ତି।ମନ୍ଦିରରେ ତାଳ ପତ୍ର ନିର୍ମିତ ପେଡ଼ି ରେ ଭୋଗ ବିକ୍ରି କରାଯାଏ। ଏହି ପେଡ଼ି ନିର୍ମାଣ କାରୀ ନିଶ୍ଚିନ୍ତ ରୋଜଗର ପାଉଛନ୍ତି। ମହାପ୍ରସାଦ ଖାଇବା ପାଇଁ ଖଲି ପତ୍ର ଥାଳି ବ୍ୟବହାର ହୁଏ। ଏହାକୁ ତିଆରି କରିବା ନିମନ୍ତେ ଅନେକ ଲୋକ କାର୍ଯ୍ୟ କରିଥାଆନ୍ତି। ମନ୍ଦିର ଭିତରେ ମିଳୁଥିବା ଖଜା, ମଗଜ୍ ଲଡୁ, ଲୁଣି ଖଜା ଇତ୍ୟାଦି ଅନେକ ଭୋଗ ଲାଗି ଥାଏ। ଏସବୁ ମଧ୍ୟ ବାହାରେ ମିଳେ। ଆନନ୍ଦ ବଜାରକୁ କିଏ ଯାଇ ପାରୁ ନ ପାରୁ କିନ୍ତୁ ବାହାରେ ମିଳୁଥିବା ବଜାରରୁ ଲୋକେ କିଣିଥନ୍ତି। ଯେଉଁ ମାନେ ଏହି ସବୁ ପ୍ରସ୍ତୁତ କରନ୍ତି ସେମାନେ ନିଜେ ରୋଜଗାର ପାଇବା ସହିତ ଅନ୍ୟ ମାନଙ୍କୁ ବି ରୋଜଗାର ଦେଇଥାନ୍ତି। ବଡ଼ ଦାଣ୍ଡରେ କେତେ ଉଠା ଦୋକାନୀ ଏବଂ ସ୍ଥାୟୀ ଦୋକାନୀ ଅଛନ୍ତି। ସେମାନେ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରନ୍ତି। ଯେମିତି ଚୁଡ଼ି, ଇମିଟେଶନ ଗହଣା, ଚାବି ରିଙ୍ଗ, ପ୍ରଭୁ ଜଗନ୍ନାଥଙ୍କ କାଠ ଓ ପିତ୍ତଳ ମୂର୍ତ୍ତି, ପ୍ରଭୂ ବାଲ୍ ଗୋପାଲ ଙ୍କ ମୂର୍ତ୍ତି, ଅନ୍ୟ ଦେବାଦେବୀଙ୍କ ମୂର୍ତ୍ତି, ପିତଳ ବାସନ, ମହିଳାଙ୍କ ପର୍ସ, ବିଭିନ୍ନ ପ୍ରକାରର ଖାଦ୍ୟ ସବୁ ମିଳେ। ସେମିତି ସମୁଦ୍ର କୂଳରେ ଉଭୟ ଆମିଷ ଓ ନିରାମିଷ ଭୋଜନ, ଶଙ୍ଖ ନିର୍ମିତ ଦ୍ରବ୍ୟ, ଉଭୟ ପୁରୁଷ ଓ ମହିଳା ଙ୍କ ବସ୍ତ୍ର, ଛୋଟ ପିଲାଙ୍କ ବସ୍ତ୍ର, ପିଲାଙ୍କ ଖେଳନା ଇତ୍ୟାଦି ବିକ୍ରି ହେଉଛି। ଏଠାରେ ବିଶ୍ୱ ପ୍ରସିଦ୍ଧ ପାଟ ଶାଢ଼ୀ ଦେଖିବାକୁ ମିଳେ। ଏହି ସମସ୍ତ ଦୋକାନ ଗୁଡ଼ିକ ଏକ ବଜାରର ଭ୍ରମ ସୃଷ୍ଟି କରେ।

ଏଠି ଲୋକେ ବିଭିନ୍ନ ଉପାୟରେ ଉପାର୍ଜନ କରନ୍ତି। ସମୁଦ୍ର କୂଳରେ ବୁଲୁଥିବା ମସଲା ମୁଢ଼ି ବାଲା ଦିନକୁ ୧୦୦୦/ କିମ୍ବା ୧୨୦୦/ ଲେଖା ରୋଜଗାର କରୁଛି । ପାଦ ମାଲିସ୍ ଯିଏ କରୁଛି ସିଏ ଦୈନିକ ୫୦୦/ କିମ୍ବା ୧୦୦୦/ ପାଉଛି। ଓଟ ଧରି ବୁଲୁଥିବା ବ୍ୟକ୍ତି ବି ଦିନକୁ ସର୍ବ ନିମ୍ନ ୫୦୦/ ପାଉଛି। ସାମାନ୍ୟ ଚୌକି ବସିବା ପାଇଁ ଭଡ଼ାରେ ଦେଇ ଜଣେ ଯଥେଷ୍ଟ ରୋଜଗାର କରୁଛି। ସହର ସାରା ହୋଟେଲ୍ ଭର୍ତ୍ତି। ଏମିତିକି ଲୋକେ ତାଙ୍କ ନିଜ ଘରକୁ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କୁ କମ୍ ଦରରେ ଅଳ୍ପ ସମୟ ପାଇଁ ହେଉ ପଛେ ଭଡ଼ା ଦେଇଛନ୍ତି।

ଭଡ଼ାରେ ଦୁଇ ଚକିଆ ଯାନ ଯିଏ ଭଡ଼ା ଦଉଛି ସିଏ ଯଥେଷ୍ଟ ଉପାର୍ଜନ କରୁଛି। ଏମିତି ଦେଖିବାକୁ ଗଲେ କେବଳ ପୁରୀ ସହର ନୁହେଁ, ଅନ୍ୟ ସ୍ଥାନରୁ ଲୋକ ଆସି ଏଠି ବେଶ୍ କିଛି ପଇସା ରୋଜଗାର କରି ନିଜ ପେଟ ପୋଷୁଛନ୍ତି। ଅନ୍ୟ ପକ୍ଷରେ ନୂତନ ଜନ ବସତି ସୃଷ୍ଟି ହେଇଯାଉଛି। ପୁଣି ସାମାଜିକ ଓ ଆର୍ଥିକ ଆବଶ୍ୟକତା ଅନୁସାରେ ଅନ୍ୟ ସମସ୍ତ ଅନୁଷ୍ଠାନ ସୃଷ୍ଟି ହେଉଛି। କୋଣାର୍କ ମନ୍ଦିର ବି ଏହାର ଜ୍ୱଳନ୍ତ ଉଦାହରଣ। 

କିଏ କହେ ମନ୍ଦିରରେ କିଛି ନାହିଁ ବୋଲି? ପ୍ରଶ୍ନ କରୁଥିବା ଜ୍ଞାନୀ ଗୁଣୀ ଟିକେ ଜାଣିବାକୁ ଚେଷ୍ଟା କରନ୍ତୁ କଣ ପାଇଁ UAE ରେ ମନ୍ଦିର ନିର୍ମାଣ ହେଉଛି? ଏହାର କାରଣ କଣ? ଯାହା ଅମର ପରିଚୟ ଆଉ ଧରୋହର କଣ ପାଇଁ ଅନ୍ୟ ଧର୍ମର ଦେଶରେ ତାର ଲୋକ ପ୍ରିୟତା ବଢ଼ିବାରେ ଲାଗିଛି? ସେମାନେ ବୋଧେ ବୁଝି ପାରୁ ନାହାନ୍ତି ନା ଅଜ୍ଞାନୀ। ଯାହା ଆମର କର୍ତ୍ତବ୍ୟ ତା ଉପରେ କଣ ପାଇଁ ଆମେ ପ୍ରଶ୍ନ କରୁଛୁ? ଆମର ସମ୍ପଦ, ପ୍ପ୍ରାଚୂର୍ଯ୍ୟ, ଶକ୍ତି କେନ୍ଦ୍ର, ଜୀବନର ମାନ ଦଣ୍ଡ, ଆସ୍ଥା କେନ୍ଦ୍ର, ନିରାଶ୍ରୟର ଆଶ୍ରୟ ତାକୁ ବିରୋଧ କରିବାକୁ ଆମେ ପଛ ଘୁଞ୍ଚା ଦେଉ ନାହୁଁ। ଆମେ ଭଲେଇ ହେବାକୁ ଯାଇ ଅସ୍ତିତ୍ଵ ହରେଇବାକୁ ଦଉଛୁ। ଯୋଉ ଜାତି ନିଜତ୍ବ କୁ ଛାଡ଼ି ଦିଏ ସିଏ ଅଚିରେ ନିଶ୍ଚିହ୍ନ ହୋଇ ଯାଏ।ଏଠି ତ ଧର୍ମ ଅର୍ଥ କାମ ମୋକ୍ଷ ସବୁ ଅଛି।

କୃଷ୍ଣପ୍ରିୟା ବେହେରା (ଅଧ୍ୟାପିକା)

 ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ

କଟକ 

 ଫୋନ୍ ନଂ:୯୯୩୭୪୩୪୯୨୨