ମୁଁ
ଯଦି ଆମେ ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗକୁ ଦେଖିବା, ଗୋଟିଏ ଗୋଟିଏ ରାକ୍ଷସଙ୍କର ଜନ୍ମ ହେଉଥିଲା ଏବଂ ପ୍ରଭୁ ସ୍ଵୟଂ ଧରାପୃଷ୍ଠକୁ ଅବତରଣ କରି ସମସ୍ତଙ୍କୁ ବଧ କରୁଥିଲେ । କିନ୍ତୁ ବର୍ତ୍ତମାନ କଳି ଯୁଗରେ ଯେଉଁ ମୁଁ ନାମକ ରାକ୍ଷସ ମାୟାରେ ଆମେ ପଡ଼ିଛେ,ତାକୁ ବଧ କରିବାର କ୍ଷମତା କାହାର ନାହିଁ।
ଆଜି ଯଦି ଆମେ ଦେଖିବା, ମଣିଷର ଅହଙ୍କାର, ଜିଦ୍ଦି ଏବଂ ବଡ଼ପଣିଆ କେତେ ଯେ ଜୀବନର କ୍ଷତି ଘଟାଉଛି, ତାକୁ ବୁଝିବାକୁ ଆମେ ଅସମର୍ଥ । ଦେଶ ହେଉ, ରାଜ୍ୟ ହେଉ, କି ପରିବାର ସବୁ କ୍ଷେତ୍ରରେ ସମସ୍ୟା । ଏହି ମୁଁ ନାମକ ଶବ୍ଦର ଜପ କରି ଆମେ ସତ୍ୟତାକୁ ଜାଣିବା ଓ ଦେଖିବାକୁ ଚେଷ୍ଟା କରୁନେ। ଏହାଦ୍ଵାରା ଅନେକ ପବିତ୍ର ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହେବା ଦେଖିବାକୁ ମିଳୁଛି। ଜାଣତରେ ହେଉ କିମ୍ବା ଅଜାଣତରେ ନିଜର ବିନାଶକୁ ଆମେ ନିଜେ ତିଆରି କରୁଛେ ତା ସହ ଅନେକ ଭବିଷ୍ୟତକୁ ଆମେ ଅନ୍ଧାରକୁ ଠେଲି ଦେଉଛେ।
ଏହି ମୁଁ ନାମକ ଶବ୍ଦଟି ଏମିତି ଏକ ବୃକ୍ଷ ସଦୃଶ, ଯେଉଁଠି କେବଳ ବିନାଶର ଫଳ ଫଳିଥାଏ । ଯଦି ଏକ ସୁସ୍ଥ ସମାଜ, ସୁସ୍ଥ ପରିବାର ଏବଂ ସୁସ୍ଥ ବ୍ୟକ୍ତିତ୍ଵର ପରିଚୟ ପାଇବାର ଅଛି, ନିଜର ଅନ୍ତରାତ୍ମାରୁ ମୁଁ ନାମକ ରାକ୍ଷସକୁ ମାରିବାକୁ ପଡ଼ିବ। ତେବେ ଯାଇ ଭଗବାନଙ୍କୁ କୌଣସି ଅବତାର ଧାରଣ କରିବାକୁ ଏ ଯୁଗରେ ପଡ଼ିବ ନାହିଁ।
ଆମର ସଂସ୍କୃତ ରେ ଏକ ଶ୍ଳୋକ ଅଛି-
ଅଶାସ୍ତ୍ର ବିହିତ ଘୋରମ୍,
ତପ୍ୟନ୍ତେ ୟେ ତପୋଜନା,
ଦମ୍ଭାହଙ୍କାର ସଂଯୁକ୍ତା,
କାମରାଗ ବଳବିନିତା।
ଅହଂକାରୀ ମଣିଷକୁ ଭଗବାନ୍ କେବେବି ସାହାଯ୍ୟର ହାତ ବଢ଼ାଇ ନଥାନ୍ତି । ତେଣୁ ସର୍ବଦା ଅହମ୍ ଭାବଠାରୁ ଦୂରେଇ ରହିବା ଉଚିତ୍।
ସଂଯୁକ୍ତା ଦାଶ
କଳିଙ୍ଗ ବିହାର, ଭୁବନେଶ୍ୱର

Editor 


