ଓଡି଼ଶା ଖାଦ୍ୟ ମହୋତ୍ସବ କେବଳ ଖାଇବାର ଏକ ଉତ୍ସବ ନୁହେଁ ବରଂ ଖାଦ୍ୟ ମହାକୁମ୍ଭ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୬/୧୨ : ଓଡି଼ଶା ଖାଦ୍ୟ ମହୋତ୍ସବ କେବଳ ଖାଇବାର ଏକ ଉତ୍ସବ ନୁହେଁ ବରଂ ଏହା ଏକ ଓଡି଼ଆ ଖାଦ୍ୟ ମହାକୁମ୍ଭ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫ର ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଜାଗାରେ ରାଜ୍ୟର ସମସ୍ତ ଖାଦ୍ୟ ଦେଖି ଅଭିଭୂତ ଅଟନ୍ତି। ବିଶେଷ କରି ଜନଜାତି ଖାଦ୍ୟ ଏଠି ମିଳୁଥରବାରୁ ସେ ବିଶ୍ୱ ଓଡି଼ଆ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ନବରଙ୍ଗପୁରର ବିଧାୟକ ଗୌରୀଶଂକର ମାଝୀ, ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ନିରଂଜନ ମିଶ୍ର, ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ କାର୍ଯକ୍ରମର ସଂଯୋଜକ ଭବାନୀ ପ୍ରସାଦ ମିଶ୍ର ଓ ଅନୁଷ୍ଠାନର ଅଧ୍ୟକ୍ଷ ସଜ୍ଜନ ଶର୍ମା ପ୍ରମୁଖ ଉଦବୋଧନ ଦେଇଥିଲେ।
ଏହି ଅବସରରେ ଅୟୋଜିତ ଆଲୋଚନା ସଭାରେ ଗବେଷକମାନେ କହିଛନ୍ତି ଯେ, ଇତିହାସ, ସଂସ୍କୃତି, ଆଧ୍ୟାତ୍ମିକତା ଓ ଅନ୍ନଦର୍ଶନରେ ଭରପୁର ଓଡ଼ିଶା ଏକ ଏମିତି ରାଜ୍ୟ, ଯାହାର ମୂଳରେ ଅନ୍ନକୁ ବ୍ରହ୍ମ ଭାବେ ଦେଖିବାର ଗଭୀର ଦାର୍ଶନିକ ଚେତନା ନିହିତ। ଏଠାରେ ଖାଦ୍ୟ କେବଳ ଶରୀର ପୋଷଣର ଉପାୟ ନୁହେଁ; ଏହା ଦେବତା ଓ ମାନବ ମଧ୍ୟରେ ସମ୍ପର୍କର ସେତୁ ସୃଷ୍ଟି କରୁଥିବା ଏକ ପବିତ୍ର ଅନୁଭୁତି। ଖାଦ୍ୟ ମହୋତ୍ସବ ୨୦୨୫ର ଚତୁର୍ଥ ଦିନରେ ଓଡ଼ିଆ ଖାଦ୍ୟ, ଐତିହ୍ୟ, ପୋଷଣ ଏବଂ ଜନଜାତି ପାକ-ପରମ୍ପରା ଶୀର୍ଷକ ଆୟୋଜିତ ଆଲୋଚନାଚକ୍ରରେ ବକ୍ତା ଗଣ ଏହା ଉପରେ ଗଭୀର ଆଲୋକପାତ କରଛନ୍ତି। ଓଡ଼ିଶା ମାଟିରେ ଆୟୋଜିତଏହି ଖାଦ୍ୟ ମହାକୁମ୍ଭରେ, ପରମାତ୍ମା,ମନୁଷ୍ୟ ଓ ଖାଦ୍ୟକୁ କେନ୍ଦ୍ର କରି ଗଢ଼ିଉଠିଥିବା ସମ୍ପର୍କ ଉପରେ ବକ୍ତା ଗଣ ଆଲୋକପାତ କରି କହିଥିଲେ ଆମ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓଡ଼ିଶାର ଅନ୍ନଦର୍ଶନର ସର୍ବୋଚ୍ଚ ପ୍ରତୀକ। ଏଠାରେ ରାଜା ଓ ରଙ୍କ ଏକାସଂଗେ ଅନ୍ନ ଗ୍ରହଣ କରନ୍ତି, ଯାହା ସାମାଜିକ ଭେଦଭାବକୁ ଅସ୍ୱୀକାର କରି ସମତାର ମହାବାର୍ତା ବହନ କରିଥାଏ। ଏହି ଭୋଗ ପରମ୍ପରା କେବଳ ଧାର୍ମିକ ରୀତିନୀତି ନୁହେଁ; ଏହା ଓଡ଼ିଆ ସମାଜର ସାମାଜିକ ସମତା, ଶ୍ରମର ମର୍ଯ୍ୟାଦା ଓ ସାମୂହିକ ଜୀବନବୋଧର ଏକ ଦୃଢ଼ ଦାର୍ଶନିକ ଘୋଷଣା ବୋଲି ବିଶିଷ୍ଟ ଖାଦ୍ୟ ଗବେଷକ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ତେବେ ଓଡ଼ିଆ ଖାଦ୍ୟକୁ ପାଠ୍ୟପୁସ୍ତକରେ ଅର୍ନ୍ତଭୁକ୍ତ କରିବା ପାଇଁ ଆଲୋଚକଗଣ ସମସ୍ୱରରେ ପ୍ରକାଶ କରିଥିଲେ। ଏହି ଆଲୋଚନା ଚକ୍ରରେ, ଓଡ଼ିଶାର ବହୁପରିଚିତ ଖାଦ୍ୟ ଗବେଷକ ତଥା ବିରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ପ୍ରଫେସର ଚନ୍ଦ୍ରଶେଖର ଦାଶ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବତନ ଉପକୁଳପତି, ବାରିପଦା ବିଶ୍ୱବିଦ୍ୟାଳୟ, ହରେକୃଷ୍ଣ ପ୍ରତିହାରୀ, ମନ୍ଦିର ଖାଦ୍ୟ ପ୍ରଣାଳୀ ବିଶେଷଜ୍ଞ, ପଣ୍ଡିତ ପ୍ରଫୁଲ୍ଲ ରଥ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ, ଦେବୁ ପଟ୍ଟନାୟକ, ଖ୍ୟାତନାମା ସାମାଜିକ ଉଦ୍ୟମୀ, ଡା. ମନୋଜ ମିଶ୍ର, ପର୍ଯ୍ୟଟନ ବିଶେଷଜ୍ଞ, ଅନିତା ସାବତ, ସାମାଜିକ କର୍ମୀ ମିନତୀ ଦାସ, ସାମାଜିକ କର୍ମୀ ଯୋଗ ଦେଇଥିଲେ। ଡା. ପଦ୍ମଲୋଚନ ଦାଶ ଚର୍ଚ୍ଚା ସତ୍ରର ସଂଚାଳନ କରିଥିଲେ ।
ପୂର୍ବାହ୍ନରେ ଆୟୋଜିତ ଖାଦ୍ୟପ୍ରସ୍ତୁତି ପ୍ରତିଯୋଗିତାରେ ୭୦ଜଣ ମହିଳା ଭାଗ ନେଇ ଆମିଂଷ ରୋଷେଇ ପ୍ରସ୍ତୁତ କରିଥିଲେ। ସେଗୁଡିକ ହେଲା ମାଛମାଂସ,ଅଣ୍ଡା,ମାଛ ଆମ୍ବିଳ,ମାଛ କାଞ୍ଜି, ଚିଙ୍ଗୁଡି ପତ୍ର ପୋଡା, ଜଙ୍ଗଲି ଚିକେନ୍, ଇଲିସି ବେସର,ଚକୁଳି ସହ ଅଣ୍ଡା ଝିଲିମିଲି ଓ ଖାସୀ ମାଂସରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଏଠାରେ ଉଲ୍ଲେଖନୀୟ ୧୨-୧୬ ବର୍ଷର କିଶୋର କିଶୋରୀ ବିନା ନିଆଁରେ ସମ୍ପର ଚୁଡା ମିକ୍ସ ସାଲାଡ ଇତ୍ୟାଦି ପ୍ରସ୍ତୁତ କରିଥିଲେ। ଏଥିରେ ବିଚାରକ ଭାବେ ରୋହିତ ଶ୍ରୀବାସ୍ତବ, ତାପସ କୁମାର ସାହୁ, ଆଶୀଷ କୁମାର ସ୍ୱାଇଁ, ସଞ୍ଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଶିଷ୍ଟ ଖାଦ୍ୟ ବିଷାରଦ ସଙ୍ଗୀତା ଦାଶ, ଡକ୍ଟର ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଂନ୍ଧ୍ୟାରେ ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ଗୋଷ୍ଠୀଙ୍କ ଦ୍ୱାର ପରିବେଷିତ ସଙ୍ଗୀତରେ ଦର୍ଶକ ଝୁମିଥିଲେ। ଆଜିର ଉତ୍ସବରେ ବିପୁଳ ଜନସମାଗମ ହୋଇଥିଲା। ବିଭିନ୍ନ ଖାଦ୍ୟ କୋଠରୀ ଗୁଡ଼ିକରେ ଅସମ୍ଭବବ ଭିଡ ଓଡ଼ଆ ଖାଦ୍ୟର ଆନନ୍ଦ ନେଇଥିଲେ।

Editor 


