ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ କାଷ୍ଟିଂ କାଉଚ ଅଭିଯୋଗ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ କାଷ୍ଟିଂ କାଉଚ ଅଭିଯୋଗ

ଭୁବନେଶ୍ୱର,୪/୧୨ : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଡ୍ରାମା ବିଭାଗର ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍‌ ଏବଂ ଅଶାଳୀନ ଆଚରଣ ନିର୍ଯାତନା ଅଭିଯୋଗ । ଏହି ଘଟଣାକୁ ନେଇ କଲେଜରେ ପ୍ରବଳ ଉତ୍ତେଜନା । ଛାତ୍ରୀମାନେ ରାଜରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲ ଛାତ୍ରୀମାନଙ୍କ ପ୍ରତି ଅଶାଳୀନ ବ୍ୟବହାର, ଖରାପ ସ୍ପର୍ଶ ଏବଂ ଯୌନ ଇଙ୍ଗିତ କରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଭଲ ଗ୍ରେଡ୍‌ ଓ ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଉଥିବା ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଅନେକ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିବା ପରେ ଏହା ଏକ ବଡ଼ ଧରଣର ବିକ୍ଷୋଭର ରୂପ ନେଇଥିଲା। ବିକ୍ଷୋଭ ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀମାନେ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ଅବରୋଧ କରିଥିଲେ, ଯାହା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆନ୍ଦୋଳନକାରୀ ଛାତ୍ରୀମାନେ ଅଭିଯୁକ୍ତ ଅଧ୍ୟାପକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଓଡ଼ିଶା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ଛାତ୍ରୀମାନେ ଶାନ୍ତ ହୋଇନଥିଲେ।