ସେବା ଯୋଗାଇ ପାରୁନାହିଁ ରାଉରକେଲା ମହାନଗର ନିଗମ

ରାଉରକେଲା ୫/୮ : ସହରାଞ୍ଚଳରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ରହିଛି ଏନ୍ଏସି, ମ୍ଯୁନିସପାଲିଟି ଏବଂ କର୍ପୋରେସନ ବା ମହାନଗର ନିଗମ। ରାଉରକେଲା ମହାନଗର ନିଗମ ଗଠନ ହେଲା ପରଠାରୁ ଏଠାରେ କୌଣସି ନିର୍ବାଚନ କରାଯାଇ ନାହିଁ। ରାଉରକେଲା ମ୍ଯୁନିସପାଲିଟି, ମହାନଗର ନିଗମରେ ପରିଣତ ସମୟରେ କେତେକ ଗ୍ରାମକୁ ନୂତନ ଭାବେ ଅନ୍ତର୍ଭୁକ୍ତ କରାଯାଇଥିବାରୁ, ଏହାକୁ ବିରୋଧ କରି ସେହି ଗ୍ରାମବାସୀମାନେ ଓଡିଶା ଉଚ୍ଚ ନ୍ୟାୟାଳୟରେ ମାମଲା କରିବା ପରେ ଉଚ୍ଚ ନ୍ୟାୟାଳୟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୪୦ଟି ଓ୍ବାର୍ଡ ରହିଥିବା ବେଳେ, ଏହା ମଧ୍ଯ ଓଡିଶାର ଦ୍ବିତୀୟ ସ୍ମାର୍ଟ ସିଟି। ରାଉରକେଲା ସ୍ମାର୍ଟ ସିଟିରେ ୨୦୨୩ ପୁରୁଷ ହକି ସମୟରେ ମୁଖ୍ଯ ରାସ୍ତାର ଦୁଇ ପାର୍ଶ୍ଵରେ ସ୍ରାବ ଦ୍ବାରା ବାଉଣ୍ଡ୍ରୀ ଓ୍ବାଲ ନିର୍ମାଣ କରାଯାଇ ଚିତ୍ରଶିଳ୍ପୀଙ୍କ ଦ୍ବାରା ଚିତ୍ରିତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ କେତେକ ଲୋକ ସେହି ବାଉଣ୍ଡ୍ରୀ ଓ୍ବାଲର ସ୍ଲାବକୁ ଭାଙ୍ଗିଦେବା ସଙ୍ଗେ ସଙ୍ଗେ ନିଜର ବ୍ଯବସାୟ ଚଳାଇଛନ୍ତି। ରାଉରକେଲା ମୁଖ୍ଯ ରାସ୍ତାରେ ବୁଲା ଗାଈଗୋରୁ ଓ ମଇଁଷି ବିଚରଣ କରିବା ସହିତ ଦିନ ବେଳେ ମେଳିବାନ୍ଧି ଶୋଉଛନ୍ତି। ଏହାକୁ ଘଉଡାଇବା ପାଇଁ ମହାନଗର ନିଗମ ପକ୍ଷରୁ କୌଣସି ପ୍ରତିକାର କରାଯାଉ ନଥିବାରୁ ରାସ୍ତାରେ ଯାଉଥିବା ପଥଚାରୀ ଓ ଗାଡିମୋଟର ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନରେ ଗୃହମାନଙ୍କରୁ ଅଳିଆ ସଂଗ୍ରହ କରିବା ପାଇଁ ଅଳିଆ ସଂଗ୍ରହ ବୈଦ୍ୟୁତିକ ଗାଡିର ବ୍ଯବସ୍ଥା କରାଯାଇଥିଲା ବେଳେ, ରାସ୍ତା କଡରେ ଅଳିଆ ପକାଇବା ପାଇଁ କୌଣସି ବ୍ଯବସ୍ଥା କରାଯାଇ ନଥିବାରୁ, ରାସ୍ତା କଡରେ ଅଳିଆ ପଡିରହିବା ଦ୍ବାରା ଏହାକୁ ବୁଲା ଗାଈଗୋରୁ ଟାଣି ରାସ୍ତା ଉପରେ ପକାଉଛନ୍ତି। ଏହା ବର୍ଷା ଦିନରେ ପରିବେଶକୁ ଦୁର୍ଗନ୍ଧ କରୁଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ସମସ୍ତ ବ୍ଯବସ୍ଥାର ପରିବର୍ତ୍ତନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଦାବୀ କରାଯାଇଛି।