ଲୁଟ୍ ଉଦ୍ୟମ ବିଫଳ ; ଜଣେ ଗିରଫ
ଖୁଣ୍ଟା,୩୧/୧୦ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ପୁରୁଣା ବାରିପଦାଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଲୁଟିବାକୁ ଆସିଥିବା ଏକ ଲୁଟେରା ଦଳର ଜଣେ ସଦସ୍ୟକୁ ଖୁଣ୍ଟା ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯାଜପୁର ଟାଉନ ଥାନା ଅଧିନ ରାମବାର ତଳିଆ ଅଞ୍ଚଳର ଦେବେନ୍ଦ୍ର ପରିଡ଼ା(୪୫)।
ସୂଚ଼ନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ପୁରୁଣାବାରିପଦା ଛକଠାରେ ଥିବା ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ଲୁଟ୍ କରିବା ପାଇଁ କିଛି ଦୁର୍ବୃତ୍ତ ଆସିଥିଲେ । ମଦ ଦୋକାନ ନିକଟରେ ଅନ୍ୟ ଏକ କୋଠରୀରେ ଶୋଇଥିବା ଦୋକାନର କର୍ମଚାରୀମାନଙ୍କୁ ଦୁର୍ବୃତ୍ତମାନେ କୋଠରୀ ବାହାର ପଟୁ ବନ୍ଦ କରି ଦେଇଥିଲେ । ଶବ୍ଦ ହେବାରୁ ଶୋଇଥିବା ଦୋକାନର କର୍ମଚାରୀମାନେ ଉଠି କବାଟ ଖୋଲିବାକୁ ଉଦ୍ୟମ କରିଥିଲେ । ବାହାରପଟୁ କେହି ବନ୍ଦ କରି ଦେଇଥିବା ଜାଣି କୋଠରୀର ସିସିଟିଭିକୁ ଯାଞ୍ଚ କରିଥିଲେ ।
୩ ଜଣ ଦୁର୍ବୃତ୍ତ ସଟର କାଟି ଦୋକାନ ଭିତରକୁ ପଶି ଲୁଟ ପାଇଁ ପ୍ରୟାସ ଜାରି ରଖିଥିବା ଦେଖିବାକୁପାଇ ପୋଲିସକୁ ସୁଚନା ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା l ପୋଲିସ ଆସିଥିବାର ଜାଣି ଲୁଟେରାମାନେ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ଅନ୍ଧାରର ସୁଯୋଗ ନେଇ ୨ଲୁଟେରା ଯାଜପୁର ଟାଉନ ଥାନା ଅଧିନ ତଳଦା ଅଞ୍ଚଳର ବୁଲୁ ପଣ୍ଡା ଓ ବୁଧରାମ ସ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲା । ତା’ନିକଟରୁ ଲୁଟରେ ବ୍ୟବହୃତ ଗ୍ୟାସ କଟର, ଏକ ମୋବାଇଲ, ୨ଟି ସାବଳ ସମେତ ଲୁଟେରାମାନେ ଆସିଥିବା ଓଡ଼ି୩୪ କ୍ୟୁ ୮୮୪୫ ନମ୍ବର ବିଶିଷ୍ଟ ବୋଲେର ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଏହି ଲୁଟେରା ଗ୍ୟାଙ୍ଗ ସେହି ରାତିରେ ଅନୁରୂପ ଭାବେ ଜୟପୁର ବିଦେଶୀ ମଦ ଦୋକାନରୁ ଲୁଟ ପାଇଁ ଉଦ୍ୟମ କରିଥିବା ଏବଂ ସେଠାରୁ ବିଫଳ ହେବା ପରେ ପୁରୁଣା ବାରିପଦା ମଦ ଦୋକାନରୁ ଲୁଟ ପାଇଁ ପ୍ରୟାସ କରିଥିବା ପୋଲିସ କହିଛି ।
ସେହିପରି ଏହି ଲୁଟେରା ଟିମ୍ ପୂର୍ବରୁ ଗତ ମଇ ମାସରେ ଖୁଣ୍ଟା ଥାନା ଅଧିନ ଡ଼ୁକୁରା ଏବଂ ଗତ ଜୁନ ମାସରେ ଗଡ଼ଦେଉଳିଆ ସରକାରୀ ବିଦେଶୀ ମଦ ଦୋକାନରୁ ଲୁଟ କରିଥିବା ନେଇ ଗିରଫ ଲୁଟେରା ଜଣକ ପୋଲିସ ନିକଟରେ ସ୍ବୀକାର କରିଛି । ଏ ନେଇ କେଶ ନଂ ୩୪୧/୨୫ ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Editor 


