ସ୍କାଉଟ୍ସ୍ ଓ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ
ଭୁବନେଶ୍ବର,୩୦/୮ : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ ଶନିବାର ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ରାଜ୍ୟ ମୁଖ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ରାଜ୍ୟ ସଭାପତି ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର, ମାନ୍ୟବର ବିଧାୟକ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଉପସଭାପତି ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ତଥା ଉପସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଟି. ପ୍ରସାଦ ରାଓ ଦୋରା, ପୂର୍ବତନ ରାଜ୍ୟ ମହିଳା କମିଶନର ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଉପସଭାପତି ଡଃ. (ଶ୍ରୀମତୀ) ମିନତୀ ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ କମିଶନର ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଆଇଏଏସ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଶାରୀରିକ ଶିକ୍ଷା ନିରୀକ୍ଷକଙ୍କ ସମେତ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ରାଜ୍ୟପରିଷଦର ବହୁ ସଭ୍ୟ ସଭ୍ୟା ଯୋଗଦେଇଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ ବିଗତ ଦିନମାନଙ୍କରେ ରାଜ୍ୟ ସଂସ୍ଥା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିଥିବାର ଅବତାରଣା କରି ସଦସ୍ୟମାନଙ୍କର ସକ୍ରିୟ ସହଯୋଗର ଉଚ୍ଚପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ ।
ଏହି ଅବସରରେ ମାନ୍ୟବର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନାୟକ ଏବଂ ଉପସଭାପତି ଶ୍ରୀଯୁକ୍ତ ରାଉତ, ଶ୍ରୀଯୁକ୍ତ ଜେନା, ଶ୍ରୀଯୁକ୍ତ ଦୋରା ଏବଂ ଶ୍ରୀମତୀ ବେହେରା ଗତ ବର୍ଷ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ଚଳିତ ବର୍ଷ କିପରି ଆହୁରି ଅଧିକରୁ ଅଧିକ କାର୍ଯ୍ୟକ୍ରମ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ଶ୍ରୀମତୀ ନନ୍ଦ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍କାଉଟ ଏବଂ ଗାଇଡ୍ କିପରି ତୃଣମୂଳ ସ୍ତରରେ ଆହୁରି ଅଧିକରୁ ଅଧିକ ମଜବୁତ୍ ହୋଇପାରିବ ସେଥିପ୍ରତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ । ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ଗତବର୍ଷର ଆୟ ବ୍ୟୟର ଅଟକଳ ଏବଂ ବିଭିନ୍ନ କମିଟି ଦ୍ୱାରା ଆଗତ ପ୍ରସ୍ତାବ ଗୁଡିକ ସବିଶେଷ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଅନୁମୋଦନ ଲାଭ କରାଯାଇଥିଲା । ପରିଶେଷରେ ରାଜ୍ୟ କମିଶନର ସିପ୍ରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Editor 


