ବୃଦ୍ଧାଙ୍କ ବେକରୁ ଝାମ୍ପି ନେଲେ ଚେନ, ବାଇକ ଆରୋହୀ ଫେରାର

ଖୁଣ୍ଟା, ୧୨/୧୧ : ଖୁଣ୍ଟା ଥାନା ଅଧିନ କହ୍ନେଇବନ୍ଦ ଗ୍ରାମର ଜନୈକା ୮୫ ବର୍ଷୀୟା ବୃଦ୍ଧା ମହିଳାଙ୍କ ବେକରୁ ସ୍ପଷ୍ଟ ଦିବା ଲୋକରେ ସୁନା ଚ଼େନ ଲୁଟି ନେଇ ଦୁଇ ଦୁର୍ବୁତ l ପରେ ଉଭୟେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନେଇ ଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରକାଶ ଯେ, ଉକ୍ତ ଥାନା ଅଧିନ ତଥା ଖୁଣ୍ଟା - ଉଦଳା ରାଜ୍ୟ ରାଜପଥର କହ୍ନେଇବନ୍ଧ ଗ୍ରାମର ଝାରମଣି ଦେ (୮୫) ସୋମବାର ମଧ୍ୟାହ୍ନ ସମୟରେ ତାଙ୍କ ଘର ବାରଣ୍ଡାରେ ଏକାକି ବସିଥିଲେ । ଉକ୍ତ ସମୟରେ ଏହି ରାସ୍ତା ଦେଇ ଏକ ବାଇକ ଯୋଗେ ଯାଉଥିବା ଦୁଇ ବ୍ୟକ୍ତି ମଧ୍ୟରୁ ଜଣେ ବ୍ୟକ୍ତି ବାଇକରୁ ଓହ୍ଲାଇ ଝାରମଣିଙ୍କ ବେକରୁ ସୁନା ଚ଼େନ ଟିକୁ ଲୁଟି ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିଲେ l
ବୃଦ୍ଧା ଜଣକ ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କ ଠାରେ ପ୍ରକାଶ କରିଥିଲେ । ଯାହାକୁ ନେଇ ଲୁଟରେ ଶିକାର ହୋଇଥିବା ବୃଦ୍ଧାଙ୍କ ପୁତ୍ର ଅଜୟ କୁମାର ଦେ ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଉଲ୍ଲେଖ ଥାଉକି, ରବିବାର ସନ୍ଧ୍ୟା ସମୟରେ ଜନୈକ ଗହଣା ବ୍ୟବସାୟୀ ସୁନାଅଳଙ୍କାର ନେଇ ନିଜ ଘରକୁ ଯାଉଥିବା ବେଳେ ସଂପୃକ୍ତ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୪ ଯୁବକ ସୁନାଅଳଙ୍କାର ବ୍ୟାଗଟିକୁ ଲୁଟି ନେଇଥିବା ଘଟଣା ମନରୁ ଲିଭି ନ ଥିବା ଓ ଏହାର ମାତ୍ର କିଛି ଘଣ୍ଟା ବ୍ୟବଧାନରେ ତାହା ପୁଣି ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।