ଦୁର୍ଘଟଣାରେ ମୃତ୍ୟ ହୋଇଥିବା କନଷ୍ଟେବଳଙ୍କ ପରିବାରବର୍ଗଙ୍କୁ ବୀମା ରାଶିର ଚେକ୍ ପ୍ରଦାନ

ଦୁର୍ଘଟଣାରେ ମୃତ୍ୟ ହୋଇଥିବା କନଷ୍ଟେବଳଙ୍କ ପରିବାରବର୍ଗଙ୍କୁ ବୀମା ରାଶିର ଚେକ୍ ପ୍ରଦାନ

କଟକ,୯/୧୦ : ଦୁର୍ଘଟଣାର ଶିକାର ହୋଇ ମୃତ୍ୟ ହୋଇଥିବା କନଷ୍ଟେବଳ ଲବଣି ଗାଣ୍ଟାଙ୍କ ପରିବାରବର୍ଗଙ୍କୁ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଭେଟି ସମବେଦନା ଜଣାଇବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଦିଆଯାଇଥିବା ୧କୋଟି ଟଙ୍କାର ଦୁର୍ଘଟଣା ଜନିତ ମୃତ୍ୟୁ ବୀମା ରାଶିର ଚେକ ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍ୱଳ୍ପ ସମୟ ମଧ୍ୟରେ ବୀମା ରାଶି ପ୍ରଦାନ କରିବାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଅଧିକାରୀଙ୍କୁ ଡିଜିପି ସାଧୁବାଦ ଜଣାଇଥିଲେ। 

ସୂଚନାଯୋଗ୍ୟ ଯେ, ମୃତ ଲବଣି ରାୟଗଡ଼ା ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟଠାରେ କନଷ୍ଟେବଳ ଭାବେ ଚାକିରୀ କରୁଥିଲେ। ଗତ ଜୁଲାଇ ୫ତାରିଖରେ ଥେରୁବାଲି ନିକଟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ପିତା ବୃନ୍ଦାବନ ଗାଣ୍ଟା ଡିଜିପିଙ୍କଠାରୁ ଚେକ୍ ଗ୍ରହଣ କରିଥିଲେ। 

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ(ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏସବିଆଇ, (ଚିଫ ଜେନେରାଲ ମ୍ୟାନେଜର), ଏ. ଡି. ରତ୍ନାତେଜା, ଏସବିଆଇ,(ଜେନେରାଲ ମ୍ୟାନେଜର) କୌଶଲ କିଶୋର ସିଂ,ଏସବିଆଇ,( ଡେପୁଟି ଜେନେରାଲ ମ୍ୟାନେଜର) ଆଶିଷ କୁମାର ମିଶ୍ର, ଏସବିଆଇ( ରିଜିଅନାଲ ମ୍ୟାନେଜର), ଉତ୍ତର କୁମାର ପଟେଲ, ଏସବିଆଇ,(ଏଜିଏମ) ନଗେନ୍ଦ୍ର ସାହୁ, ଏସବିଆଇ, (ଏଜିଏମ) ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। 

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶା ପୋଲିସ ଏବଂ ଭାରତୀୟ ଷ୍ଟେଟ ବ୍ଯାଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ଚୁକ୍ତିପତ୍ର ଅନୁଯାୟୀ, SBI ପକ୍ଷରୁ ଦୁର୍ଘଟଣାର ଜନିତ ମୃତ୍ୟୁ ହୋଇଥିବାରୁ ୧କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।