ଡ୍ରାଗନ ଫ୍ରୁଟ ଚାଷ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି

ଡ୍ରାଗନ ଫ୍ରୁଟ ଚାଷ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୧୦/୧୧ : ଡ୍ରାଗନ ଫ୍ରୁଟ ଚାଷ କରି ସ୍ୱାବଲମ୍ବୀ ହେଲେ ଆଦିବାସୀ ମହିଳା l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ର ନିଶାନଭଙ୍ଗା ପଞ୍ଚାୟତ, ବାବୁଚକୁଳି ଗ୍ରାମ ର ବଜରଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ ୧୦ଜଣ ଆଦିବାସୀ ମହିଳା ଏବେ ନିଜ ଉଦ୍ୟମ ରେ ପ୍ରାୟ ଦେଢ଼ ଏକର ଜମିରେ ଡ୍ରାଗନ ଫ୍ରୁଟ ଚାଷ କରି ହଜାର ହଜାର ଟଙ୍କା ରୋଜଗାର କରି ନିଜର ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରି ପାରିଛନ୍ତି l ନିଜର ପରିବାର ପ୍ରତିପୋଷଣ ଭଲ ଭାବେ କରିବା ସହ ନିଜ ପିଲା ଙ୍କୁ ପାଠ ପଢାଉଛନ୍ତି l ଯେଉଁମାନେ ଦିନେ ଘର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ ଏବେ ତାଙ୍କ ମୁହଁରେ ଏହି ଡ୍ରାଗନ ଫ୍ରୁଟ ଚାଷ ହସ ଫୁଟେଇଛି l

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ର ଏକ ଗାଁ ହେଉଛି "ବାବୁ ଚକୁଳି "l ୨୦୧୭ମସିହାରେ ଏହି ଗାଁର ୧୦ଜଣ ମହିଳା ବଜରଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ l ତେବେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ରଂଜିତା ଖଡିଆ ନାମକ ଜଣେ ମହିଳାଙ୍କ ସ୍ୱାମୀ ଯିଏ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି ସେ ଥରେ ଘରକୁ ଆସିଥିବାବେଳେ ଏହି ମହିଳା ମାନଙ୍କୁ ଡ୍ରାଗନ ଫ୍ରୁଟ ଚାଷ ଓ ଏହା ଅତି ଲାଭପ୍ରଦ ବୋଲି କହିବା ସହ ତାଙ୍କୁ ଏହି ଚାଷ କରିବାକୁ କହିଥିଲେ l ଏହା ପରେ ଏହି ମହିଳାମାନେ ଏକ ସଭା କରି ରେଙ୍ଗାଲି ବ୍ଲକର ଓଡିଶା ଜୀବିକା ମିଶନର ଏମବିକେ ଓ ସିଆରପିଙ୍କୁ ଭେଟି ଋଣ ଆଣିଥିଲେ l ଏମବିକେ ଓ ସିଆରପିଙ୍କ ସହାୟତାରେ ପଞ୍ଚାୟତରୁ ଦେଢ଼ ଲକ୍ଷ ଓ ବ୍ୟାଙ୍କରୁ ୩ଲକ୍ଷ ଋଣ ଆଣି ଥିଲେ l

ଏହାପରେ ଜଣେ ଏସଏଚଜିର ଜଣେ ସଦସ୍ୟଙ୍କ ପ୍ରାୟ ୨ଏକର ଜମିରେ ଏକ ବାଡ଼ି ତିଆରି କରିଥିଲେ ଏହି ମହିଳା ମାନେ l ପଞ୍ଚାୟତ ତରଫରୁ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଏମାନଙ୍କୁ ପ୍ରାୟ ୧୦୦୦ଚାରା ଯୋଗାଇ ଦିଆଯାଇଥିଲା l ତେବେ ବୋରୱେଲ ଓ ପାଇପ ବ୍ୟବସ୍ଥା ପାଇଁ ଟଙ୍କା କମ ପଡିବାରୁ ପୁଣି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୨ଲକ୍ଷ ଟଙ୍କାର ଋଣ ମଞ୍ଜୁର କରେଇ ଦେଇଥିଲେ ଓଏଲଏମର ଏମବିକେ ଓ ସିଆରପି l ଏହାପରେ ପ୍ରାୟ ୧୦୦୦ଟି ଡ୍ରାଗନ ଫ୍ରୁଟ ଚାରା ଲଗେଇ ଆରମ୍ଭ ହୋଇଥିଲା ଚାଷ l ଏଥିପାଇଁ ଏହି ମହିଳାମାନେ ନିଜେ ଶ୍ରମ ଦାନ କରିବା ସହ ୩ଜଣ ଶ୍ରମିକ ନିୟୋଜିତ କରିବା ସହ ଜଣେ ରାତ୍ରି ଜଗୁଆଳି ରଖିଥିଲେ l

ଆଉ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଚାଷରୁ ଚଳିତ ବର୍ଷ ଜୁଲାଇ ମାସରୁ ପ୍ରଥମ ଫଳ ଉତ୍ପାଦନ ଆରମ୍ଭ ହୋଇଥିଲା l ଆଉ ଚଳିତ ବର୍ଷ ୨କ୍ୱିଣ୍ଟାଲ ଡ୍ରାଗନ ଫ୍ରୁଟ ଉତ୍ପାଦନ କରିଥିଲେ ଏହି ମହିଳାମାନେ l ଏଥିରୁ ସେମାନେ ପ୍ରାୟ ୫୦ରୁ ୫୫ ହଜାର ଟଙ୍କା ରୋଜଗାର କରିଥିଲେ l ତେବେ ଏଥିରେ କି ଲାଭ ହେଲା ବୋଲି ମନରେ ପ୍ରଶ୍ନ ଉଠିବ କିନ୍ତୁ କଥାଟା ହେଲା ଏହି ଗଛ ୨୦ବର୍ଷ ଯାଏଁ ଏମିତି ଫଳ ଉତ୍ପାଦନ କରୁଥାଏ l ସେଥିପାଇଁ ଏହି ମହିଳାମାନେ ନିଜର ପ୍ରଥମ ଉତ୍ପାଦନରେ ବହୁତ ଖୁସି l