ବଂଶଧାରା ବିପଦ ସଂକେତ ତଳେ ପ୍ରବାହିତ ହେଉଛି
ଭୁବନେଶ୍ବର, ୪/୧୦ : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବଂଶଧାରା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । କେବଳ ଖୋର୍ଦ୍ଧା ଓ ବାଲିଆପାଳ ବ୍ଲକରେ ୫୦ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ବାକି ସ୍ଥାନରେ ବର୍ଷା କମ୍ ରେକର୍ଡ଼ କରାଯାଇଛି । ତେଣୁ ବନ୍ୟା ସ୍ଥିତି ନାହିଁ । ଏଭଳି ସୂଚନା ଦେଇଛନ୍ତି ଇଆଇସି । ବଂଶଧାରା ନଦୀ ପାଇଁ କାଶୀନଗରରେ ବିପଦ ସଂକେତ ୫୪.୬ମିଟର ଥିବାବେଳେ ତା ତଳେ ରହିଛି । ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛନ୍ତି । ମହାନଦୀ ନରାଜରେ ବିପଦ ସଂକେତର ୨.୪୩ ତଳେ ପ୍ରବାହିତ ହେଉଛି । ବ୍ରାହ୍ମଣୀ ଜେନାପୁରରେ ୩.୪୨ମିଟର, ବୈତରଣୀ ଆଖୁଆପଦାରେ ୧. ୦୬ମିଟର ତଳେ ପ୍ରବାହିତ ହେଉଛି।
ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ରହିଥିବାବେଳେ ଏବେ ହୀରାକୁଦରେ ଜଳସ୍ତର ରହିଛି ୬୨୭.୮୯ ଫୁଟ ରହିଛି। ପାଖାପାଖି ୧ ଲକ୍ଷ ୩୩ ହଜାର ଘନଫୁଟ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ଏହି ପରିମାଣର ପାଣି ମଧ୍ୟ ନିଷ୍କାସିତ ହେଉଛି । ୬ଟି ଗେଟ୍ ଖୋଲା ଅଛି । ଖୁବଶୀଘ୍ର ଆଉ ୩ଟି ଗେଟ୍ ବନ୍ଦ ହେବ। ୩ଟି ଫାଟକ ଓ ପାୱାର ହାଉସ, କେନାଲ ଦେଇ ଜଳ ନିଷ୍କାସିତ ହେବ। ରେଙ୍ଗାଲିର ସର୍ବୋଚ୍ଚ ଜଳସ୍ତର ୧୨୩.୫ମିଟର ଥିବାବେଳେ ଏହି ପରିମାଣର ଜଳ ଭଣ୍ଡାରରେ ମହଜୁଦ ଅଛି । ପ୍ରତି ସେକେଣ୍ଡରେ ୭୯୦ଘନ ମିଟର ଜଳ ଜଳ ଭଣ୍ଡାରରେ ପ୍ରବେଶ କରୁଥିବାବେଳେ ୭୧୦ଘନ ମିଟର ଜଳ ନିଷ୍କାସିତ ହେଉଛି । ସବୁ ଫାଟକ ବନ୍ଦ ଅଛି । କେବଳ ପାୱାର ହାଉସ ଦେଇ ଜଳ ଯାଉଛି । ଏଇ ଲଘୁଚାପ ଜନିତ ବର୍ଷାରେ ଜଳ ଭଣ୍ଡାରରେ ଯେତିକି ଜଳ ରହିବା କଥା ସେତିକି ଜଳ ମହଜୁଦ ଥିବା କହିଛନ୍ତି ଇଆଇସି ଚନ୍ଦ୍ର ଶେଖର ପାଢ଼ୀ ।
ଦକ୍ଷିଣ ଓଡ଼ିଶା ଜିଲ୍ଲା ଜଳ ଭଣ୍ଡାରରେ ଜଳ କମ୍ ଥିଲା। ଲଘୁଚାପ ଯୋଗୁଁ ପାଣି ଭଲ ଗଛିତ ହୋଇଛି । ଇନ୍ଦ୍ରାବତୀରେ ୮୮ପ୍ରତିଶତ ପାଣି ଭର୍ତ୍ତି ହୋଇଛି । ଅପର କୋଲାବରେ ୯୧ପ୍ରତିଶତ, ବାଲିମେଳାରେ ୭୨, ମାଛକୁଣ୍ଡରେ ୯୬ ପ୍ରତିଶତ ଜଳ ଭର୍ତ୍ତି ହୋଇଛି । ଅନ୍ୟପଟେ ସାଳନ୍ଦୀରେ ୭୫ପ୍ରତିଶତ ଓ ଲୋୟର ଇନ୍ଦ୍ରରେ ୯୦ପ୍ରତିଶତ ପାଣି ଭର୍ତ୍ତି ହୋଇଛି । ବିଗତ ବର୍ଷ ତୁଳନାରେ ଭଲ ପୋଜିସନ ଅଛି । ଆଗାମୀ ସମୟରେ କାମରେ ଆସିବ ବୋଲି କହିଛନ୍ତି। ସେହିଭଳି ୪୮ଟି ମଧ୍ୟମ ଧରଣର ଜଳ ଭଣ୍ଡାରରୁ ୩୮ଟି ଜଳ ଭଣ୍ଡାରରେ ୭୫ପ୍ରତିଶତ ପାଣି ଗଛିତ ହୋଇଛି ।

Editor 


