ଅବକାରୀ ଚଢ଼ଉ; ବିପୁଳ ପରିମାଣର ପୋଚ ଓ ମଦ ଜବତ

ଅବକାରୀ ଚଢ଼ଉ; ବିପୁଳ ପରିମାଣର ପୋଚ ଓ ମଦ ଜବତ

ଖୁଣ୍ଟା,୧୨/୯ : ଅବକାରୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୨୦ରୁ ଚାଲୁ ରହିଥିବା ସ୍ପେସିଆଲ ଡ୍ରାଇଭକୁ ଆଧାର କରି ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ପ୍ରତ୍ୟେକ୍ଷ୍ୟ ତତ୍ତ୍ବାବଧାନରେ ଖୁଣ୍ଟା ଅବକାରୀ ବିଭାଗ ଅଧିନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଛି । ଏଥିରେ ବିପୁଳ ସଂଖ୍ୟାର ମଦ ଓ ପୋଚ ଜବତ କରାଯାଇଥିବା ଜଣାପଡ଼ିଛି । 

ଖୁଣ୍ଟା ଅବକାରୀ ଥାନା ଓଆଇସି ମମତା ଦାସଙ୍କ ନେତୃତ୍ବରେ ଉଦଳାର ଶୁଭଦର୍ଶନୀ ସାହୁ, ବେତନଟୀର ପ୍ରକାଶ ଚନ୍ଦ୍ର ସାହୁ, ଅବକାରୀ ମୋବାଇଲ ଟିମର ଅଧିକାରୀ ଶ୍ରୀଧର ମହାନ୍ତି ଓ ବିଭାଗୀୟ ଅନ୍ୟ ର୍କମଚାରୀଙ୍କ ସମେତ ମାଜିଷ୍ଟ୍ରେଟ ପ୍ରଦୀପ ପାଢୀଙ୍କ ଉପସ୍ଥିତିରେ ଖୁଣ୍ଟା ଅବକାରୀ ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ଚଢଉ କରାଯାଇଥିଲା l ତେବେ ବିଭାଗର ଏହି ଚଢଉ ସମୟରେ ମହ୍ଲାରପଦା, ଗୋବିନ୍ଦପୁର ଗ୍ରାମରେ ଜଙ୍ଗଲ ମଧ୍ୟରେ ଥିବା ଏକ ନିର୍ଜନ ସ୍ଥାନ ସମେତ ଝୁନୁବଣିଆନାଳଠାରେ ମଦ ପ୍ରସ୍ତୁତ କାରଖାନା ବିଭାଗ ପକ୍ଷରୁ ଠାବ କରାଯାଇଥିଲା l  

ଏହି ମଦ ପ୍ରସ୍ତୁତ କାରଖାନା ଗୁଡ଼ିକରୁ ପ୍ରସ୍ତୁତ ହୋଇ ରହିଥିବା ୬୬୦ ଲିଟର ମହୁଲି ମଦ ସମେତ ମଦ ପ୍ରସ୍ତୁତି ପାଇଁ ଗଛିତ ରଖିଥିବା ମୋଟ ୨୦ ହଜାର ୧୫୦ କେଜି ମହୁଲ ପୋଚ ସହ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ବିଭାଗ ପକ୍ଷରୁ ଜବତ କରାଯାଇଛି । ସେ ଗୁଡ଼ିକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନଥିବା ଜଣାଯାଇଛି ।