ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ; ଦୁର୍ବଳ ଶ୍ରେଣୀଙ୍କୁ ସୁରକ୍ଷିତ ରଖିବା ହିଁ ଯୋଜନାର ମୂଳ ଲକ୍ଷ୍ୟ

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ; ଦୁର୍ବଳ ଶ୍ରେଣୀଙ୍କୁ ସୁରକ୍ଷିତ ରଖିବା ହିଁ ଯୋଜନାର ମୂଳ ଲକ୍ଷ୍ୟ

ଖୁଣ୍ଟା,୩୦/୩ : ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ତି ଜିଲ୍ଲାରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ଏହାର ସିଧାପ୍ରସାରଣକୁ ଉଭୟ ବ୍ଲକ ପକ୍ଷରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଥିଲା ।

ଏହି ଅବସରରେ ଗୋପବନ୍ଧୁ ନଗର ବ୍ଲକ ପରିସରରେ ବ୍ଲକ ବିଡିଓ ପୃଥିରାଜ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଯୋଗଦେଇଥିବାବେଳେ ସହକାରୀ ଯନ୍ତ୍ରୀ ବିନୋୟ ଜ୍ୟାତି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ମଢ଼େଇ, ଦୁର୍ବଳ, ଗରିବ ଓ ଅସହାୟ ଶ୍ରେଣୀର ଲୋକଙ୍କୁ ସୁରକ୍ଷିତ ରଖିବା ହିଁ ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୫୦ହଜାରରୁ ଊର୍ଦ୍ଧ୍ବ ଗରିବ ପରିବାର ଉପକୃତ ହୋଇପାରିବେ ବୋଲି କହିଥିଲେ । ମୁଖ୍ୟତଃ ଟିବି , କ୍ୟାନସର, କୁଷ୍ଠ, ଭଳି ବିଭିନ୍ନ ଦୁରାରୋଗରେ ଆକ୍ରାନ୍ତ ଥିବା ଏବଂ ସହିଦ୍ ପରିବାର, ଭିନ୍ନକ୍ଷମ, ଘରପୋଡ଼ି, ବନ୍ୟା ବାତ୍ୟ ପ୍ରଭାବିତମାନଙ୍କ ସମେତ ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯିବା ସହ ଏହି ଯୋଜନା ରେ ସାମିଲ କରାଯାଇ ଗୃହ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ମଢ଼େଇ ଉପସ୍ଥିତ ଜନସାଧାରଣଙ୍କୁ ସୁଚାଇଥିଲେ l 

ଏହି ଅବସରରେ ଗୋପବନ୍ଧୁ ନଗର ବ୍ଲକ ଅଧିନରୁ ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ୬୬ ଜଣ ହିତାଧିକାରୀଙ୍କୁ ଅତିଥିଗଣ ଗୃହ ନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ସେହିପରି ଖୁଣ୍ଟା ବ୍ଲକ ପକ୍ଷରୁ ଅନୁରୁପ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଡିଓ ସତ୍ୟଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷା ଯୋବା କିସକୁ, ସହକାରୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରୀପାଠୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟାଙ୍କ ସମେତ ବହୁ ସଂଖ୍ୟକ ମହିଳାମାନେଯୋଗଦେଇଥିଲେ । ଏହି ଅବସରରେ ଖୁଣ୍ଟା ବ୍ଲକ ଅଧିନରେ ବିଭିନ୍ନ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ୭୦ଜଣ ହିତାଧିକାରୀଙ୍କୁ କାର୍ଯ୍ୟାରମ୍ଭ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l