ଦେବକୁଣ୍ଡରେ ବୁଡ଼ି ଛାତ୍ର ମୃତ

ଖୁଣ୍ଟା,୩୦/୩ : ସାଙ୍ଗ ସହିତ ବୁଲିବାକୁ ଯାଇଥିଲେ ଦେବକୁଣ୍ଡ। ଆଉ କୁଣ୍ଡରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡଠାରେ ।
ସୂଚନା ଅନୁଯାୟୀ, ଉଦଳା ରାଢୋ କଲେଜର ଯୁକ୍ତ ୩ ଛାତ୍ର ପିୟୁଷ ମହାପାତ୍ର ସାଙ୍ଗଙ୍କ ସହିତ ଦେବକୁଣ୍ଡ ବୁଲିବାକୁ ଯାଇଥିଲେ। ଦୁଇ ସାଙ୍ଗ ଗାଧୋଇବା ପାଇଁ ଦେବକୁଣ୍ଡ ଜଳପ୍ରପାତର ଏକ କୁଣ୍ଡ ନିକଟରେ ଛିଡା ହୋଇଥିଲେ । ହେଲେ ଗାଧୋଇବା ପାଇଁ ଛାତ୍ର ପିୟୁଷ ହଠାତ କୁଣ୍ଡ ଭିତରକୁ ଡେଇଁ ପଡ଼ିଥିଲେ ଏବଂ କୁଣ୍ଡରେ ଅଳ୍ପ ପାଣିଥିବାରୁ ସେଠାରେ ପଥରରେ ମୁଣ୍ଡ ଏବଂ ମୁହଁ ମାଡ଼ ହୋଇଥିଲା।
ପରେ ପାଣିରୁ ତାଙ୍କୁ ସାଥିମାନେ ଉଦ୍ଧାର କରିଥିବାବେଳେ ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସେତବେଳକୁ ଛାତ୍ରଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ଛାତ୍ରଙ୍କ ମୃତଦେହକୁ ଦେବକୁଣ୍ଡର ୩ନମ୍ବର କୁଣ୍ଡ ନିକଟରୁ ତଳକୁ ଆଣି ଅଗ୍ନିଶମ ବିଭାଗ ମୃତଦେହକୁ ମେଡ଼ିକାଲ ନେଇଥିଲା। ଏହି ଖବର ଜଣାପଡିବା ପରେ ଉଦଳା ମେଡିକାଲ ଲୋକାରଣ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।