ମଧ୍ୟରାତ୍ରିରେ ଜନ୍ମ ନେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ

ମଧ୍ୟରାତ୍ରିରେ ଜନ୍ମ ନେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଭୁବନେଶ୍ୱର,୨୫/୧୨ : ଆଜି ବଡ଼ ଦିନ । ଭୁବନେଶ୍ୱରର ସତ୍ୟନଗର କ୍ୟାଥୋଲିକ୍ ଚର୍ଚ୍ଚ ଓ ୟୁନିଟ୍-୪ ୟୁନିଅନ ଚର୍ଚ୍ଚ ସମେତ ୩୫ରୁ ଅଧିକ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳିତ କରିଛନ୍ତି ଶ୍ରଦ୍ଧାଳୁ । କ୍ୟାଥୋଲିକ୍ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମବିଧି ପାରମ୍ପରିକ ଭାବରେ ସମ୍ପନ୍ନ ହୋଇଥିଲା । ଯୀଶୁଙ୍କ ଜନ୍ମ ପୂର୍ବରୁ ବଳିଦାନ ଯଜ୍ଞ ହେବା ପରେ ପରିସରରେ ନିର୍ମିତ ଅସ୍ଥାୟୀ ମେଣ୍ଢାଶାଳରୁ ଫାଦର୍ ନବଜାତ ଯୀଶୁଙ୍କ ମୂର୍ତ୍ତିକୁ ଆଣିଥିଲେ । ଖ୍ରୀଷ୍ଟଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇଯାଇଥିଲେ । ସମସ୍ତ ଭାଷାରେ ବାଇବେଲ ପଢ଼ାଯାଇଥିଲା । ଶିଶୁ ଯୀଶୁଙ୍କୁ ଗୋଲାପ ଫୁଲ ଦିଆଯାଇଥିବା ଓ ମହମବତୀ ଜାଳି ତାଙ୍କ ସ୍ୱାଗତ କରାଯାଇଥିଲା ।

ଚର୍ଚ୍ଚମାନଙ୍କରେ ରାତି ୧୦ଟାରୁ ଭିଡ଼ ଲାଗିଥିଲା । କିଏ ଗୋଲାପ ଧରି ଆସୁଥାଏ, ତ କିଏ ମହମବତୀ । କ୍ୟାରୋଲ ଗୀତରେ ଗୁଞ୍ଜୁଥାଏ ଚର୍ଚ୍ଚ ପରିସର। ଛୋଟପିଲାମାନେ ସାନ୍ତାକ୍ଲଜ୍ ପୋଷାକ ପିନ୍ଧି ଖ୍ରୀଷ୍ଟିମାସ ଟ୍ରି ଧରି ଫଟୋ ଉଠାଉଥାନ୍ତି । ଥଣ୍ଡାକାକରକୁ ଖାତିର ନକରି ପ୍ରଭୁ ଯୀଶୁଙ୍କ ଆଗମନକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ନିର୍ଦ୍ଧାରିତ ୧୨ଟା ବେଳକୁ ସେହି ପ୍ରତିକ୍ଷାର ଅନ୍ତ ଘଟିବା ସହ ଜନ୍ମ ନେଇଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହାପରେ ଆରମ୍ଭ ହୋଇଥିଲା ସେଲିବ୍ରେସନ୍ l