ସମ୍ବଲପୁର ଜିଲ୍ଲାରେ ହାତୀ ମୃତ୍ୟୁ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରାଣା), ୧୯/୮ : ଥମିବାର ନାଁ ନେଉନି । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁକୁ ନେଇ ଏବେ ବନ ବିଭାଗ ଅଡୁଆରେ ପଡିଛି l ଏବେ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ-ରେଢ଼ାଖୋଲ ରାସ୍ତାର ଚରଡ଼ପଶି ଗାଁ ନିକଟ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତଦେହ ଠାବ ହୋଇଛି । ଗତ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ଆଘାତରେ ହାତୀଟିର ଜୀବନ ଯାଇଥିବା ପାରିପାର୍ଶ୍ଵିକ ପରିସ୍ଥିତିକୁ ଦେଖି ସନ୍ଦେହ କରାଯାଉଛି ।
ରବିବାର ସକାଳୁ ସୂଚନାପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଟିର ମୃତ୍ୟୁ କିପରି ହୋଇଛି ସେନେଇ ତଦନ୍ତ କରୁଛନ୍ତି I ଘଟଣା ସ୍ଥଳକୁ ରେଢ଼ାଖୋଲ DFO ମଧ୍ୟ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି l ଚରଡ଼ପଶି ନିକଟ ଜଙ୍ଗଲରେ ଗତ ବିଳମ୍ବିତ ରାତିରେ ଏକ ହାତୀ ମରି ପଡ଼ିଥିବା ଆଜି ସକାଳୁ ବନ ବିଭାଗକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ରବିବାର ଘଟଣାସ୍ଥଳରେ ରେଢ଼ାଖୋଲ ବନବିଭାଗର କର୍ମଚାରୀ ପହଞ୍ଚି ହାତୀର ମୃତଦେହକୁ ଜବତ କରି ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।