ମହାପ୍ରଭୁଙ୍କୁ ଅସମ୍ମାନିତ , ସାଧାରଣରେ କ୍ଷୋଭ ପ୍ରକାଶ

ମହାପ୍ରଭୁଙ୍କୁ ଅସମ୍ମାନିତ , ସାଧାରଣରେ କ୍ଷୋଭ ପ୍ରକାଶ

ଭୁବନେଶ୍ବର,୨୦/୧ : ମହାପ୍ରଭୁଙ୍କୁ ଅସମ୍ମାନିତ । ଏଆଇ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୁ ବିକୃତ କରି ଦର୍ଶାଯାଇଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ନୀତିକୁ ବିକୃତ କରାଯାଇଥିବାରୁ ଶ୍ରୀମନ୍ଦିର ସେବାୟତମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଜାଲା ଭିସଭରାଜ ସିଂ ନାମକ ଜନୈକ ବ୍ୟକ୍ତି ନିଜ ସୋସିଆଲ ମିଡ଼ିଆ ଆଇଡିରେ ଏହା ପୋଷ୍ଟ କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ଏଭଳି ପ୍ରଦର୍ଶିତ କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଦାବି କରିଛନ୍ତି । 

ମହାପ୍ରଭୁଙ୍କ ଏଆଇ ଫଟୋ ପ୍ରଘଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଭିଡ଼ିଓରେ ମହାପ୍ରଭୁଙ୍କ ମୂର୍ତ୍ତିକୁ ବାହାରକୁ ଅଣାଯାଇ କ୍ରେନ ସାହାଯ୍ୟରେ ତାଙ୍କ ମୁଣ୍ଡ ଉପରେ କ୍ଷୀର ଢ଼ଳା ଯାଉଥିବା ପ୍ରଦର୍ଶିତ ହୋଇଛି । ମହାପ୍ରଭୁଙ୍କ ଚାରିପଟେ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଭକ୍ତମାନେ ଏଭଳି ପୂଜା ସମୟରେ ମୋବାଇଲରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଏଭଳି କୌଣସି ନୀତି ନଥିବା ବେଳେ ଜାଲା ସାମାଜିକ ଗଣମାଧ୍ୟମରେ ଜଗନ୍ନାଥ ମହାପ୍ରଭୁଙ୍କୁ ବିକୃତ କରି ପ୍ରଦର୍ଶିତ କରିଛନ୍ତି। ସେବାୟତମାନେ ଏହାକୁ ବିରୋଧ କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।