ଦ୍ବିତୀୟ ପଥ ଉତ୍ସବରେ ନାଚିଲେ ମେୟର , ଝୁମିଲେ ରାଜଧାନୀବାସୀ
ଭୁବନେଶ୍ବର,୧୮/୧ : ବର୍ଷର ଦ୍ବିତୀୟ ପଥ ଉତ୍ସବରେ ଝୁମିଲେ ରାଜଧାନୀବାସୀ । ଜାଗମରା ରାସ୍ତା ପାଲଟିଥିଲା ଜନସମୁଦ୍ର । ସକାଳୁ ସକାଳୁ ରାସ୍ତାରେ ବିଭିନ୍ନ ରଙ୍ଗବେରଙ୍ଗର ଝୋଟିର ଚିତ୍ର ଦେଖିବାକୁ ମିଳିଥିଲା। ନୂଆ ପୁରୁଣା ଗୀତରେ ଝୁମିଥିଲେ ପିଲାଠୁ ବୁଢା ।
ସକାଳ ୬ଟା ହେବା କ୍ଷଣି ଛୁଟି ଆସିଥିଲେ ଛୋଟ ଠୁ ବଡ଼ । ଜାଗମରାର ନୂଆ ରୋଡ଼ ପାଲଟିଥିଲା ଜନ ସମୁଦ୍ର । ସ୍କେଟିଂ, ନାଚ, ଗୀତ, ଯୋଗ, ଡ୍ରଇଂରେ ମସଗୁଲ୍ ହୋଇଥିଲେ କୁନି କୁନି ପିଲାମାନେ । ବୟସ୍କ ହୁଅନ୍ତୁ କି ଛୋଟ ପିଲା ସମସ୍ତେ ଯେମିତି ଏକାକାର ହୋଇଉଠିଥିଲେ । ଗୋଟିଏ ଲକ୍ଷ୍ୟ ଆମେ ପାଳିବୁ ପଥ ଉତ୍ସବ । ବାଘ ନାଚର ନୃଶ୍ୟ ପରିବେଶକୁ ବେଶ୍ ମନୋରମ କରି ଗଢି ତୋଳିଥିଲା । ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ନାଚ ପଥ ଉତ୍ସବର ମାହୋଲକୁ ବେଶ୍ ସୁନ୍ଦର କରିଥିଲା ।
ଶୀତୁଆ ସକାଳରେ ମସଗୁଲ୍ ହେଲେ ରାଜଧାନୀବାସୀ । ନାଚ,ଗୀତରେ ଝୁମି ଉଠିଲେ ଯୁବକ ଯୁବତୀ । ଛୋଟ ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପଥ ଉତ୍ସବର ମଜା ଉଠାଇଥିଲେ । ନୂଆ ପୁରୁଣା ଗୀତରେ ମତଓ୍ବାଲା ହେଲେ ଭୁବନେଶ୍ବରିଆ । ନେତା,ପ୍ରଶାସକ, କଳାକାର କିମ୍ବା ସାଧାରଣ ଜନତା ସମସ୍ତେ ଗୋଟିଏ ଜାଗାରେ ହେଲେ ଏକତ୍ରିତ। ଶୀତର ଚାଦରକୁ ଖାତିର ନ କରି ପଥ ଉତ୍ସବକୁ ନିଆରା କରିଥିଲେ । ବିଭିନ୍ନ ବେଶ ଭୂଷାରେ ବହୁ ଲୋକ ଆସି ନିଜ ନିଜର କଳା ଦେଖାଇଥିଲେ ।
କିଏ ଜୋକର ହୋଇ ତ, କିଏ ଭାଲୁ ଭଳି ସଜ ହୋଇ ଆସିଥିଲେ । ତାଙ୍କୁ ଦେଖି ଯୁବକଯୁବତୀମାନେ ସେଲ୍ଫି ନେବାକୁ ମଧ୍ୟ ଭୁଲି ନ ଥିଲେ । ସେମାନେ ବି ନିଜକୁ ଯୁବକଯୁବତୀମାନଙ୍କ ସହ ଠିକ୍ ସେମିତି ମିଶି ଯାଇଥିଲେ । କୁନି କୁନି ପିଲାମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଧରି ବୁଲିବାରୁ ଦୃଶ୍ୟ ବେଶ୍ ମନୋଲଭ ଥିଲା । କେହି କେହି ଯୋଗ କରି ବସିଥିଲେ । ପଥ ଉତ୍ସବର ଏହି ସୁଯୋଗକୁ କେହି ଯେମିତି ହାତ ଛଡ଼ା କରିବାକୁ ଚାହୁଁନଥିଲେ । ସେହିଭଳି କୁନି କୁନି ପିଲାମାନଙ୍କର ସ୍କେଟିଂ ଦୃଶ୍ୟ ବେଶ ମନୋରମ ଥିଲା । ଯୁବତୀ ଓ ମହିଳାମାନେ ଝୋଟି ପକାଇବା ଚିତ୍ର ଦେଖି ସମସ୍ତଙ୍କ ପାଦ କିଛି ସମୟ ଅଟକି ଯାଉଥିଲା ।
କୁନି କୁନି ପିଲାମାନେ ରାସ୍ତା ଉପରେ ବସି ବିଭିନ୍ନ ଚିତ୍ର ମଧ୍ୟ ଆଙ୍କୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ପଥ ଉତ୍ସବକୁ ସୁନ୍ଦର କରିଥିଲା । ଏହାସହ ଖାଦ୍ୟର ପସରା ମଧ୍ୟ ବେଶ୍ ଜମିଯାଇଥିଲା ଶୀତୁଆ ସକାଳରେ ।

Editor 


