ଏପସିଲନ କାର୍ବନ କମ୍ପାନୀକୁ ଡିଏଫଓ, ତହସିଲଦାରଙ୍କ ଅନୁକମ୍ପା ଅଭିଯୋଗ ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ଶ୍ରିପୁରା ଗ୍ରାମବାସୀ

ଏପସିଲନ କାର୍ବନ କମ୍ପାନୀକୁ ଡିଏଫଓ, ତହସିଲଦାରଙ୍କ ଅନୁକମ୍ପା ଅଭିଯୋଗ ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ଶ୍ରିପୁରା ଗ୍ରାମବାସୀ

ଝାରସୁଗୁଡା, ୨୦/୧ : ଝାରସୁଗୁଡ଼ା ସଦର ବ୍ଲକ ଶ୍ରିପୁରା ଫଚାୟତଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଳ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣାରେ ଶ୍ରିପୁରା ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହେବା ସତ୍ୱେ ଝାରସୁଗୁଡା ଡିଏଫଓ ଏବଂ ତହସିଲଦାର କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଗ୍ରାମବାସୀ ଗ୍ରାମସଭା ମାଧ୍ୟମରେ ଉକ୍ତ ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି । 

ଏହା ସହିତ ସୋମବାର ପୂର୍ବାହ୍ନରେ ଶ୍ରିପୁରା ଗ୍ରାମବାସୀ ଡିଏଫଓ ଓ ତହସିଲଦାରଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ କରି ଏହି ସମସ୍ତ ବିଷୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରିପୁରା ବାସୀଙ୍କ ଦାବିପତ୍ର ଅନୁଯାୟୀ ଗ୍ରାମରେ ଥିବା ଏପିଶୀଳନ କମ୍ପାନୀ ଖାତା ନମ୍ବର ୧୭୮, ପ୍ଲଟ ନମ୍ବର ୪୨୭କୁ ବେଆଇନ ଭାବେ ବ୍ୟବହାର କରୁଛି । ଏହା ସହିତ ଶ୍ରିପୁରା ଗ୍ରାମବାସୀ ଉକ୍ତ ଜଙ୍ଗଲ ଜମିରେ କେନ୍ଦ୍ର ସରକାରଙ୍କ ଯୋଜନା ଏକ ପେଡ ମା କେ ନାମରେ ହଜାର ହଜାର ଚାରାରୋପଣ କରିଥିଲେ । କିନ୍ତୁ ସେତେବେଳେ ଝାରସୁଗୁଡା ତହସିଲଦାରଙ୍କ ଉପସ୍ଥିତିରେ ରୋପଣ କରାଯାଇଥିବା ଚାରା ଏବଂ ବ୍ୟାରିକେଟକୁ ହଟାଯାଇଥିଲା । ଏହି ଘଟଣାକୁ ବିରୋଧ କରି ଶ୍ରିପୁରା ଗ୍ରାମବାସୀ ତଥା ପଂଚାୟତ ସରପଞ୍ଚ ଗତ ୨୦୨୫ଅକ୍ଟୋବର ୧୩ତାରିଖ ଦିନ ଝାରସୁଗୁଡା ଜିଲ୍ଲାପାଳଙ୍କୁ କମ୍ପାନୀଠାରୁ ଜଙ୍ଗଲ ଜମି ମୁକ୍ତି କରିବା ଏବଂ ଉକ୍ତ ଜଙ୍ଗଲ ଜମିରେ ବୃକ୍ଷ ରୋପଣ କରିବା ପାଇଁ ଦାବୀ କରିଥିଲେ । ଏହା ସହିତ ବିଭିନ୍ନ ସମୟରେ ଜିଲ୍ଲାପାଳ, ଡିଏଫଓଙ୍କୁ ମଧ୍ୟ ବହୁ ଥର ଜଙ୍ଗଲ ଜମି ପାଇଁ ଗ୍ରାମବାସୀ, ଜନ ପ୍ରତିନିଧିମାନେ ବାରମ୍ବାର ଦାବି କରିଥିଲେ । କିନ୍ତୁ ଡିଏଫଓ ଏବଂ ତହସିଲଦାର ଏହି ଘଟଣାର ତଦନ୍ତକାରୀ ଅଧିକାରୀ ହୋଇଥିବାବେଳେ ସେମାନେ କେଉଁ ସ୍ୱାର୍ଥରେ କମ୍ପାନୀକୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ଏବଂ ତଦନ୍ତ ପ୍ରକ୍ରିୟା ବିଳମ୍ବ କରୁଛନ୍ତି ସେ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା । ଫଳରେ ଗତ ଜାନୁଆରୀ ୧୫ତାରିଖ ଦିନ ଶ୍ରିପୁରା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ପାଣ୍ଡେଙ୍କ ସଭାପତିତ୍ବରେ ଏକ ଗ୍ରାମସଭା କରି ଉକ୍ତ ଜଙ୍ଗଲ ଜମିରେ ଏକ ପେଡ ମା କେ ନାମ ଯୋଜନାରେ ବୃକ୍ଷ ରୋପଣ କରି ପରିବେଶକୁ ସୁନ୍ଦର ସବୁଜ କରିବା ସହ ମାନବ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏ ବିଷୟରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇବା ପାଇଁ ଗ୍ରାମବାସୀ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ । 

ତେଣୁ ସୋମବାର ପୂର୍ବାହ୍ନ ୧୦ଟାରେ ଶ୍ରିପୁରା ଗ୍ରାମର ଶତାଧିକ ମହିଳା ପୁରୁଷ ଏକଜୁଟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ଝାରସୁଗୁଡା ଡିଏଫଓ ଏବଂ ତହସିଲଦାରଙ୍କ ବିରୋଧରେ ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିରେ ଦାବି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀଙ୍କ ତରଫରୁ କୁହାଯାଇଛି । ଏହି ଦାବିପତ୍ର ଦେବା ସମୟରେ ଶ୍ରିପୁରା ଗ୍ରାମର ଜିଲ୍ଲା ପରିଷଦ ସଦସ୍ୟ ଥିବା ଦିଗାମ୍ବର ଭୋଇ, ଶ୍ରିପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ, ଲୋକମୁକ୍ତି ସଙ୍ଘଠନର ଅନନ୍ତ ପଣ୍ଡା, ବିରଞ୍ଚି ମାଝୀ, ରୀନା ବାଗ, ମିନତୀ ପାତ୍ରଙ୍କ ସହିତ ଶ୍ରିପୁରା ଗ୍ରାମ ପ୍ରାୟ ୫ଶହରୁ ଜନସାଧାରଣ ଉପସ୍ଥିତ ରହିଥିଲେ । ଏ ନେଇ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାରଙ୍କୁ ପଚାରିବାରୁ ଏହି ଘଟଣା ଏନଜିଟି ତଦନ୍ତ ଭୁକ୍ତ ହୋଇଥିବାରୁ ମତାମତ ଦେବା ପାଇଁ ମନା କରିଥିଲେ । ଝାରସୁଗୁଡା ଡିଏଫଓ ଅଶୋକ ମନୁ ଭଟ୍ଟଙ୍କୁ ପଚାରିବାରୁ ଜଙ୍ଗଲ ଜମିର ଆଇନ ଏବଂ ଧାରା ଅନୁସାରେ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି । ଏ ନେଇ ଏପସିଲନ କମ୍ପାନୀର ପ୍ଲାଣ୍ଟ ହେଡ଼ ରାକେଶ ମୋହନଙ୍କୁ ପଚାରିବାରୁ ଏହା ଉପରେ ଜିଲ୍ଲା ପ୍ରଶାସନ ଯାହା ନିଷ୍ପତ୍ତି ନେବ ଏବଂ ଯାହା ଆଇନ ସମ୍ମତ ଅଟେ, ତାହା କମ୍ପାନୀ ମାନିବ ଏବଂ କାର୍ଯ୍ୟକାରୀ କରିବ ବୋଲି କହିଛନ୍ତି ।