ନୂଆ ଓଡ଼ିଆ ଚଳଚ୍ଚିତ୍ର "ଦେବକନ୍ୟା"ର ଫାଷ୍ଟ ଲୁକ୍ ଲୋକାର୍ପଣ

ନୂଆ ଓଡ଼ିଆ ଚଳଚ୍ଚିତ୍ର "ଦେବକନ୍ୟା"ର ଫାଷ୍ଟ ଲୁକ୍ ଲୋକାର୍ପଣ

ଭୁବନେଶ୍ବର, ୨୯/୭ : ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଦେବକନ୍ୟା"ର ଫାଷ୍ଟଲୁକ୍ ଲୋକାର୍ପଣ ହୋଇଛି l ଜୟଦେବ ବାଟିକାର ସବୁଜ ମନୋରମ ପରିବେଶ ଭିତରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ସାଂସ୍କୃତିକ ପରାମର୍ଶଦାତା ଆଶୁତୋଷ ତ୍ରିପାଠୀ, କାହାଣୀ, ଚିତ୍ରନାଟ୍ୟ ତଥା ସଂଳାପକାର ଶଙ୍କର ପ୍ରସାଦ ତ୍ରିପାଠୀ, ନିର୍ଦ୍ଦେଶକ ରାସେଶ ମହାନ୍ତି (ସିଲୁ), ଚଳଚ୍ଚିତ୍ର ପ୍ରଯୋଜକ ତଥା ବିତରକ ସଚ୍ଚିକାନ୍ତ ଜେନା, କ୍ରୀଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ, ଗୀତିକାର ଡଃ ବିରଞ୍ଚି ନାରାୟଣ ସାମଲ, ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, କୁନା ତ୍ରିପାଠୀ, ରବି ମିଶ୍ର, ନାୟକ ଶୁଭାଶିଷ ଶର୍ମା, ନବାଗତା ନାୟିକା ସୁଶ୍ରୀ, କୋରିଓଗ୍ରାଫର ବିଦୁ, ଡିଓପି ସୁଦର୍ଶନ ସେନାପତିଙ୍କ ସମେତ ଚଳଚ୍ଚିତ୍ରରେ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଥିବା କଳାକାର ଏବଂ ଗଣମାଧ୍ୟମ ବନ୍ଧୁମାନେ ଉପସ୍ଥିତ ଥିଲେ l

ଏବେ ଓଲିଉଡ଼ରେ ଓଡ଼ିଆ ମାଟିର କାହାଣୀ, ଓଡ଼ିଆ ଜାତିର ଇତିହାସକୁ ନେଇ ଚଳଚ୍ଚିତ୍ର ନିର୍ମାଣର ଧାରା ଆରମ୍ଭ ହୋଇଛି ଏବଂ ପ୍ରତ୍ୟେକ ଓଡ଼ିଆ ଦର୍ଶକ ସେଇ ଚଳଚ୍ଚିତ୍ର ଗୁଡିକୁ ଆନ୍ତରିକ ଭଲ ପାଇବା ଦେବା ସହିତ ବ୍ୟବସାୟିକ ସଫଳତା ମଧ୍ୟ ଚଳଚ୍ଚିତ୍ର ପାଇଛି l ସେଇ ଧାରାଠୁ ଆଉ ଟିକେ ଉନ୍ନତ ଚିନ୍ତାଧାରାରେ ଓଡ଼ିଆ ଜାତିର ଏକ ପରମ୍ପରାକୁ ଉଦ୍ଧାର କରିବା ପାଇଁ ବରିଷ୍ଠ ଲେଖକ ଶଙ୍କର ପ୍ରସାଦ ତ୍ରିପାଠୀ ଲେଖନୀ ମାଧ୍ୟମରେ ପ୍ରୟାସ କରିଛନ୍ତି l ପୁରୀର ଏକ ଲୋକ ସଂସ୍କୃତିକୁ ନେଇ କାହାଣୀ ଗଢିଉଠିଛି l ଲୋକ ନୃତ୍ୟକୁ ନେଇ ଜୀବିକା କରିଥିବା ଗୋଟିଏ ଲୋକ ତା' ପାରିବାରିକ ଏବଂ ସାମାଜିକ ଜୀବନରେ କେମିତି କଷ୍ଟ ପାଉଛି ତା'ରି କାହାଣୀକୁ ନେଇ ଦେବକନ୍ୟା ଚଳଚ୍ଚିତ୍ର ନିର୍ମାଣ ହୋଇଛି l କାହିଁ କେଉଁ ଆଦିମ କାଳରୁ ମାଆ ମଙ୍ଗଳାଙ୍କୁ ଆମ ଓଡ଼ିଆ ଜାତି ପୂଜାର୍ଚ୍ଚନା କରି ଆସୁଥିବା ବିଦ୍ଧି ରହିଛି ଏବଂ ଚୈତ୍ର ମାସରେ ମାଆଙ୍କର ପୂଜାର୍ଚ୍ଚନା ବିଶେଷ ଭାବରେ କରିଥାନ୍ତି l ସେଇ ଚଇତି ପର୍ବରେ ଘୋଡା ନାଚ ମାଆଙ୍କ ଉଦ୍ଦେଶ୍ୟରେ ପରିବେଷଣ ହୋଇଥାଏ l ଧୀରେ ଧିରେ ସେଇ ଘୋଡା ନାଚ ପରମ୍ପରା ଲୋପ ପାଇବାକୁ ବସିଲାଣି l ତେଣୁ ଘୋଡା ନାଚର ପୁନଃରୁଦ୍ଧାର ସହିତ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ଏକ ପ୍ରୟାସ କରିଛନ୍ତି l

ଦେବକନ୍ୟା ଚଳଚ୍ଚିତ୍ରକୁ ପ୍ରଯୋଜନା କରିଛନ୍ତି ସୁରେଶ ସାହୁ ଏବଂ ଭାର୍ଗବୀ ତ୍ରିପାଠୀ l ନିର୍ଦ୍ଦେଶନା ଦେଇଛନ୍ତି ବହୁ ଅଭିଜ୍ଞ ନିର୍ଦ୍ଦେଶକ ରାସେଶ ମହାନ୍ତି (ସିଲୁ) l ଚିତ୍ରତ୍ତୋଳନ କରିଛନ୍ତି ସୁଦର୍ଶନ ସେନାପତି l ଦେବକନ୍ୟା ଚଳଚ୍ଚିତ୍ରରେ ସମୁଦାୟ ୪ ଗୀତ ରହିଛି ଯାହାକୁ ରଚନା କରିଛନ୍ତି ଡଃ ବିରଞ୍ଚି ନାରାୟଣ ସାମଲ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ l ଦେବକନ୍ୟାର ସମସ୍ତ ସୁଟିଂ ଶେଷ ହୋଇଯାଇଛି ଏବଂ ଏହା ଖୁବ ଶୀଘ୍ର ବଡ ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନାସଂସ୍ଥା ତରଫରୁ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l