‘ଓଡ଼ିଶା ଅପଡେଟ’ ତରଫରୁ ନୂତନ ବର୍ଷର କ୍ୟାଲେଣ୍ଡର ଓ ଡାଏରୀ ଉନ୍ମୋଚନ
ଭୁବନେଶ୍ବର,୩୧/୧୨ : ନୂତନ ବର୍ଷ ଉପଲକ୍ଷେ ‘ଓଡ଼ିଶା ଅପଡେଟ’ ତରଫରୁ କ୍ୟାଲେଣ୍ଡର ଏବଂ ଡାଏରୀ ଉନ୍ମୋଚନ କରାଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏହି କ୍ୟାଲେଣ୍ଡର ଏବଂ ଡାଏରୀ ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ସେ ରାଜ୍ୟ ଏବଂ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ସମସ୍ତଙ୍କର ସୁଖ ଓ ସମୃଦ୍ଧି ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶା ଅପଡେଟ୍ ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଧରି ଲଗାତର ଭାବେ ଲୋକମାନଙ୍କ ପାଖରେ ଖବର ପହଞ୍ଚାଇ ଚାଲିଛି । ଏହି କାର୍ଯ୍ୟ ପାଇଁ ଓଡ଼ିଶା ଅପଡେଟ୍ ଟିମକୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ନାୟକ ଓଡ଼ିଶା ଅପଡେଟର ସମୃଦ୍ଧି କାମନା କରିବା ସହ ସମଗ୍ର ଟିମକୁ ସେ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ଓଡ଼ିଶା ଅପଡେଟ ଟିମ୍ ଆହୁରି ପ୍ରଖର ହୋଇ ବିଭିନ୍ନ ସମସ୍ୟାକୁ ଖବର ମାଧ୍ୟମରେ ସରକାରଙ୍କ ପାଖରେ ପହଞ୍ଚାଇବାର କାର୍ଯ୍ୟ କରୁ ବୋଲି ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡ. ରୋଜାଲିନି ସେନାପତି ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ଅପଡେଟର ଟିମକୁ ପ୍ରଶଂସା କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀମତି ସେନାପତି ଓଡ଼ିଶା ଅପଡେଟ ଟିମକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଏୟାରଫିଲ୍ଡ ଥାନା ଅଧିକାରୀ ରଞ୍ଜିତ ପ୍ରଧାନ ଉପସ୍ଥିତ ରହି ଓଡ଼ିଶା ଅପଡେଟ ଟିମର ମନୋବଳ ବୃଦ୍ଧି କରିଥିଲେ ।
ସମସ୍ତ ଅତିଥିବୃନ୍ଦଙ୍କୁ ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ସମ୍ପାଦକ ଶ୍ରୀ ନାୟକ ରାଜ୍ୟ ଏବଂ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ନୂତନ ବର୍ଷର ସୁଖ ସମୃଦ୍ଧି କାମନା କରିଛନ୍ତି ।

Editor 


