ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ‘ଦାନା’

ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ‘ଦାନା’

ଭୁବନେଶ୍ୱର,୨୫/୧୦ : ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’। ରାତି ୧୨ଟା ୦୫ରେ କଲା ଲ୍ୟାଣ୍ଡଫଲ୍। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ଥିଲା ଲ୍ୟାଣ୍ଡଫଲ୍‌ର କେନ୍ଦ୍ରସ୍ଥଳ। ଆଉ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆହୁରି ୧ରୁ ୨ଘଣ୍ଟା ଚାଲିବ । ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ହେଉଛି। ଘଣ୍ଟାପ୍ରତି ଏଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି। ପବନ ପ୍ରଭାବରେ ଭିତରକନିକାରେ ଜୁଆର ଉଠୁଛି। ପ୍ରାୟ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠି ମାଡ଼ି ଯାଉଛି। 

ଚାନ୍ଦବାଲିରେ ସବୁଠାରୁ ୧୩୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୪୨.୮ ମିଲିଟର ବର୍ଷା ରେକର୍ଡ ହୋଇଛି। ସକାଳ ୯.୩୦ରେ ସବିଶେଷ ତଥ୍ୟ ଆସିଲା ପରେ ବର୍ଷାର ପରିମାଣ ସମ୍ପର୍କରେ ସଠିକ ତଥ୍ୟ ଦେଇପାରିବୁ ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା କହିଛନ୍ତି। ସେହିପରି ପବନର ବେଗ ନେଇ ସମ୍ପୂର୍ଣ୍ଣ ତଥ୍ୟ ନଥିବା ବେଳେ ଚାନ୍ଦବାଲିରେ ଘଣ୍ଟା ପ୍ରତି ୮୨ କିମି ବେଗରେ ପବନ ବୋହିଥିଲା ବୋଲି ସେ ସୂଚନା ଦେଇଛନ୍ତି। 

ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ବାତ୍ୟା ଘୂର୍ଣ୍ଣିଝଡ଼ରେ ପରିଣତ ହେବା ସହିତ ଏହା ଧୀରେ ଧୀରେ ଅବପାତର ରୂପ ନେବ। ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ରାଜଧାନୀ ଭୁବନେଶ୍ୱରରେ ୨୫ ତାରିଖରେ ହାଲୁକା କିମ୍ବା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

ଭୁବନେଶ୍ୱର ଛାଡ଼ିଲା ପରେ ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପରୁ, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମାହାନ୍ତି। ।