ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ : ସୁରେଶ ପୂଜାରୀ

ଭୁବନେଶ୍ୱର, ୨୪/୭ : ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ବିଜେଡି ଉପରୁ ଦଳୀୟ କର୍ମୀ ଓ ନେତାଙ୍କ ଆସ୍ଥା ହ୍ରାସ ପାଇ ଚାଲିଛି । ବିଜେଡି ଉପରୁ ଆସ୍ଥା ହରାଇ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଅନେକ ବିଜେଡି ନେତୃବୃନ୍ଦ ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକର ବିଭିନ୍ନ ପଂଚାୟତର ସରପଂଚ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ଲଖନପୁର ବ୍ଲକର ୧୦ଜଣ ସରପଂଚ ବିଜେପିରେ ସାମିଲ ହେବା ଦ୍ୱାରା ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହ ଦଳୀୟ ସଂଗଠନ ଆହୁରି ସୁଦୃଢ ହୋଇଛି । ଆଗାମୀ ଦିନରେ ଅନେକ ସଂଖ୍ୟାରେ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକର କଣ୍ଢେଇକେଲା ପଂଚାୟତର ସରପଂଚ ଅଶୋକ କୁମାର ସେଠ୍, ରେମତା ଗ୍ରାମ ପଂଚାୟତର ସରପଂଚ ପ୍ରଫୁଲ କୁମାର ସିଂ, ଚାରପାଲି ପଂଚାୟତର ସରପଂଚ ଅରୁଣ ସୁନା ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ ସୁନା, କାଦମଡିହି ପଂଚାୟତର ସରପଂଚ ତାରୁଲତା ବାରିକ, ବାଘମୁଣ୍ଡା ପଂଚାୟତର ସରପଂଚ ସୁନିମା ପ୍ରଧାନ, ଜାମଗାଁ ଗ୍ରାମ ପଂଚାୟତର ସରପଂଚ ଗୋପୀନାଥ ସାଇ, ରେମେଣ୍ଡା ପଂଚାୟତର ସରପଂଚ ସୁଶାନ୍ତ ନାଏକ, ସାରନ୍ଦା ମାଲ ପଂଚାୟତର ସରପଂଚ ଝରଣା ସେଠ୍, ବଞ୍ଜାରୀ ପଂଚାୟତର ସରପଂଚ ସୀମା ସାହୁ ଓ ତାଙ୍କ ସ୍ୱାମୀ ରାଧାରମଣ ସାହୁ, ପିପିଲିମାଲ ପଂଚାୟତର ସରପଂଚ ରଙ୍ଗଧର ଡିଲା ଆଜି ବିଜେଡି ଦଳ ତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ସରୋଜ କର, ଝାରସୁଗୁଡା ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।