ସରକାରକା ମାଲ୍ ଦରିଆ ମେଁ ଡାଲ୍
ଭୁବନେଶ୍ବର, ୩/୧୦ : ସରକାର ଜନସାଧାରଣଙ୍କ ହିତ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସରକାରଙ୍କ ସେହି ଅର୍ଥ ସଠିକ ବାଟରେ ଖର୍ଚ୍ଚ ନ ହେବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ସରକାରୀ ବାବୁମାନେ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ସମ୍ପର୍କ ରଖି ମନଇଛା ଲୁଟ୍ କରୁଥିବା ଅଭିଯୋଗ ହୋଇଛି । କ୍ଷୁଦ୍ର ଜଳସେଚନ ବିଭାଗର ଏକ ଚିତ୍ର ସାମ୍ନାକୁ ଆସିଛି । ବଡ଼ମ୍ବା ଅଞ୍ଚଳରେ ହୋଇଥିବା କାପେକ୍ସ ରୋଡରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ରାସ୍ତା କାମ ସରିନଥିବା ବେଳେ ଯାହା ବି କାମ ହୋଇଛି ସେଥିରେ ଦୁର୍ନୀତି ହୋଇଥିବା କୁହାଯାଇଛି ।
ବିଭାଗରେ ଅଧିକାରୀ ଆବଶ୍ୟକ ଥିବାବେଳେ ସରକାର ନିଯୁକ୍ତି ଦେଉନାହାଁନ୍ତି । ଏହାସହ ଜନୈକ ସହକାରୀ ନିର୍ବାହୀ ଯନ୍ତ୍ରୀ ଏକାଧିକ ସ୍ଥାନରେ କାମ କରୁଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ କୌଣସି ଲୋଭ ଦେଖାଇ କିଛି ଅଫିସର ଏକାଧିକ ସ୍ଥାନରେ ଆଡ଼ିସନାଲ ଚାର୍ଜ ନେଉଛନ୍ତି । ବଡ଼ମ୍ବା ସବଡିଭିଜନରେ ୪୦ଟି ମାଇନର ରିପ୍ୟାରିଙ୍ଗ କାମ ଦିଆଯାଇଛି । ଆଉ ଯେଉଁ କାମ ଗୁଡିକ ହେଉଛି ତାହା ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ସେହିପରି ଯେଉଁ ଅଧିକାରୀ ବଡମ୍ବା ଦାୟିତ୍ୱରେ ଅଛନ୍ତି ସେ ମଧ୍ୟ ଭୁବନେଶ୍ୱର ସବଡିଭିଜନ ଓ କଟକ ଏଷ୍ଟିମେଟର ଦାୟିତ୍ୱରେ ଅଛନ୍ତି । ଭୁବନେଶ୍ୱରରେ ମଧ୍ୟ ୨୫ରୁ ଅଧିକ ସେହି ମାଇନର ରିପ୍ୟାରିଙ୍ଗ କାମ ଦିଆଯାଇଥିବା ସୂଚନା ମିଳିଛି ।
ଯେଉଁ କାମ କରାଯାଉଛି ତାହା ସମ୍ପୁର୍ଣ୍ଣଭାବେ ସଠିକ ଢଙ୍ଗରେ ହେଉନାହିଁ । ସେଥିପାଇଁ ସାଧାରଣ ଜନସାଧାରଣ ହଇରାଣ ହେଉଛନ୍ତି । କେବଳ ଏହି ଘଟଣା ନୁହେଁ ଝୁମୁକା, ଡେରାସ ଅଞ୍ଚଳରେ ସରକାରଙ୍କ ତରଫରୁ ଯେତିକି ଟଙ୍କା ଦିଆଯାଉଛି ସେତିକି କାମ ହେଉନାହିଁ । ନିଜ ମନମୁତାବକ ଠିକାଦାର ନେଇ କାମ କରାଯିବାରୁ ଏଭଳି ଅବସ୍ଥା ଉପୁଜୁଛି । ଭୁବନେଶ୍ୱରରେ ଥିବା କଲୋନୀରେ ଅତ୍ୟନ୍ତ ନିମ୍ନମାନର କାମ ହେବାରୁ ସରକାରଙ୍କ ଅର୍ଥ ପାଣିରେ ପକାଇଲା ଭଳି ହୋଇଛି । ନିଜ ମନମୁତାବକ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ରଖାଯାଇ ସରକାରଙ୍କ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ଏହାସହ କିଛି ଅଧିକାରୀଙ୍କ ଅନ୍ୟ କର୍ମଚାରୀଙ୍କ ସହ ମଧୁର ସମ୍ପର୍କ ଥିବାରୁ ଏସବୁ କାମ ହେଉଛି ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେଲେ ଆଗାମୀ ଦିନରେ ଲୋକଙ୍କ ହିତ ପାଇଁ କାମ ହେବା ସହ ରାଜ୍ୟ ଉନ୍ନତି କରିବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି ।

Editor 


