ମୃତ ବାଇକ୍ ଆରୋହୀଙ୍କ ପାଖରୁ ପିସ୍ତଲ ଜବତ

ମୃତ ବାଇକ୍ ଆରୋହୀଙ୍କ ପାଖରୁ ପିସ୍ତଲ ଜବତ

ରାଉରକେଲା,୧୨/୯ : ବିରମିତ୍ରପୁରରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବାଇକ୍ ଆରୋହୀଙ୍କ ପାଖରୁ ଏକ ଲୋଡେଡ୍ ପିସ୍ତଲ ମିଳିଛି। ଯୁବକ ଜଣକ ୬ ରାଉଣ୍ଡ ଗୁଳି ଭରା ପିସ୍ତଲ୍ ନେଇ କୁଆଡେ ଯାଉଥିଲେ ପୋଲିସ ତାର ତଦନ୍ତ କରୁଛି। ମୃତ ଯୁବକଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ମୃତ ଯୁବକଙ୍କ ନିକଟରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଏକ ମୋବାଇଲ୍ ଫୋନ ମଧ୍ୟ ଜବତ ହୋଇଛି। ତାଙ୍କର ଅନ୍ୟ ଜଣେ ସହଯୋଗୀ ମୁକେଶ ସାହୁଙ୍କୁ ପୋଲିସ ଖୋଜୁଛି ।

ମୁକେଶଙ୍କ ନାମରେ ମଧ୍ୟ ପୂର୍ବରୁ ଅପରାଧିକ ମାମଲା ରହିଛି। ମୃତକ କୁତ୍ରା ଥାନା ଅଞ୍ଚଳର ୨୨ ବର୍ଷୀୟ ସଚିନ୍ ସାହୁ ବୋଲି ଜଣା ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସଚିନ୍ ବାଇକରେ ଦୃତ ଗତିରେ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବାଇକ୍ ଟି ଏକ ଗଛରେ ପିଟି ହୋଇଗଲା ପରେ ସଚିନ୍ ରୋଡ ଉପରେ ଛିଟିକି ପଡ଼ିଥିଲେ । କେଉଁ ପରିପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ତାହା ପୋଲିସ ତଦନ୍ତ କରୁଛି । ମୃତକଙ୍କ ନିକଟରୁ ଏକ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ମିଳିବା ପରେ ସେ ସଚିନ୍ ସାହୁ ବୋଲି ଜଣା ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଚିନ୍ ଙ୍କୁ ତୁରନ୍ତ ବିରମିତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜଣେ ୨୨ ବର୍ଷୀୟ ଯୁବକ ପିସ୍ତଲ୍ ନେଇ କୁଆଡେ ଯାଉଥିଲେ ତା ତଦନ୍ତ ପରେ ଜଣା ପଡ଼ିବ।