ବୃକ୍ଷରୋପଣ ଦ୍ଵାରା ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖାଯାଇପରିବ

ବୃକ୍ଷରୋପଣ ଦ୍ଵାରା ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖାଯାଇପରିବ

ଭୁବନେଶ୍ବର,୨୧/୭ : ବନ ମହୋତ୍ସବ ପାଳନ ଅବସରରେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଳିଗୋରଡା ଗ୍ରାମସ୍ଥିତ ଗୋପବନ୍ଧୁ ଜନ୍ମ ପୀଠ ନୋଡାଲ ସ୍କୁଲ୍ ପରିସରରେ ବୃକ୍ଷ ରୋପଣ କରାଯାଇଛି। ସ୍କୁଲ୍ର ଛାତ୍ରଛାତ୍ରୀ ଏବଂ ଇକୋ କ୍ଳବ୍ର ସଦସ୍ୟମାନେ ବଉଳ, ଅଂଳା, ଅର୍ଜୁନ,  ଓଉ, ପିଜୁଳି, ବାହାଡା, ଅଶୋକ, ଜାମୁ, ଗଙ୍ଗଶିଉଳି ଟେକମୋ, ଶିଶୁ ଏବଂ କରଞ୍ଜ  ବୃକ୍ଷ ଲଗାଇଥିଲେ। 

ବୃକ୍ଷରୋପଣ ଦ୍ଵାରା ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖାଯାଇପରିବ ବୋଲି  ଏହି ସ୍କୁଲର ପ୍ରଥମ ବ୍ୟାଚର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସେତେବେଳେର କୃତି ଛାତ୍ର ଏବଂ ବର୍ତ୍ତମାନର ଜଳସମ୍ପଦ ବିଭାଗର ବରିଷ୍ଠ ନିର୍ବାହୀ ଯନ୍ତ୍ରୀ ମହେସ ଚନ୍ଦ୍ର ମାନସିଂହ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ସହିତ ବୃକ୍ଷ ରୋପଣ ସମୟରେ ଶ୍ରୀ ମାନସିଂହ ଫରେଷ୍ଟ ଶବ୍ଦର ପ୍ରତ୍ୟେକଟି ଇଂରାଜୀ ଅକ୍ଷରରୁ ସୃଷ୍ଟି ଶବ୍ଦ ଫୁଡ୍, ଅକ୍ସିଜେନ, ରେନ, ଇନଭରନମେଣ୍ଟ, ସଏଲ, ଏବଂ ଟିମ୍ବର  କିପରି ମାନବ ସମାଜର ପ୍ରତ୍ୟେକଟି କାର୍ଯ୍ୟରେ ଲାଗିଥାଏ ତାହାକୁ ଅତି ସୁନ୍ଦର ଭାବରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ।

ସବୁଜ ପରିବେଶ ମଣିଷ ସମାଜ ସହିତ ପୃଥିବୀକୁ ଦୀର୍ଘାୟୁ ରଖିବାରେ ସହାୟକ ହେବ ବୋଲି ଓଡ଼ିଶା  ରାଜ୍ୟ ବିହନ ନିଗମର ନିର୍ଦେଶକ ଅଶୋକ କୁମାର ବରାଳ କହିଛନ୍ତି। ମଣିଷ ପ୍ରତି ଦିନ ପ୍ରାୟ ୫୦୦ ଲିଟର ବାୟୁ ଶ୍ଵାସ ପ୍ରକିୟାରେ ଗ୍ରହଣ କରିଥାନ୍ତି। ଏହି ଶୁଦ୍ଧ ବାୟୁ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ଗୁଡିକର ସଂରକ୍ଷଣ କରିବାକୁ ଶ୍ରୀ ବରାଳ କହିଛନ୍ତି।

ଏହି ଅବସରରେ ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ ହରିହର ମିଶ୍ର ଏବଂ ଶିକ୍ଷକ ନିରଞ୍ଜନ ବରାଳଙ୍କୁ ସ୍କୁଲର ଛାତ୍ରଛାତ୍ରୀ ଏବଂ ଭାରା ପ୍ରାପ୍ତ  ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସମ୍ନାନରେ ସମ୍ମାନିତ କରିଥିଲେ।