ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ
ଖୁଣ୍ଟା, ୪/୧୨ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦେବରଞ୍ଜନ ବେହେରାଙ୍କ ୬୨ ବର୍ଷ ବୟସରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ମଙ୍ଗଳବାର ରାତିରେ ପରୋଲକ ଘଟିଛି । ଯାହାକୁ ନେଇ ସଂପୃକ୍ତ ଅଞ୍ଚଳର ବିଭିନ୍ନ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ସେ ଜଣେ ନମ୍ର , ମିଷ୍ଟଭାଷି ଏବଂ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ଅଞ୍ଚଳରେ ବେସ ସୁନାମ ଅର୍ଜନ କରିଥିଲେ । ଏପରିକି ସେ ସମାଜର ସମସ୍ତ ବର୍ଗର ଲୋକଙ୍କ ହୃଦୟକୁ ଜିଣିପାରିଥିଲେ ।
ଦୀର୍ଘ ୧୫ ବର୍ଷର ସାମ୍ୱାଦିକତା କ୍ଷେତ୍ରରେ ଅନେକ ଗଠନମୂଳକ ଖବର ପରିବେଷଣ କରି ଅଞ୍ଚଳର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିଲେ ।ଶ୍ରୀ ବେହେରା ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଥିଲେ lଅଞ୍ଚଳର ଯୁବଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଖୁଣ୍ଟା ବଜାରରେ ବିଭିନ୍ନ ବିକାଶର ମୂଳଦୁଆ ପକାଇଥିଲେ ।
ତାଙ୍କର ଦୃଢ ନିଷ୍ପତ୍ତି ପାଇଁ ଖୁଣ୍ଟା ବଜାର ମଧ୍ୟରେ ଟେଲିଫୋନ ଏକ୍ସଚେଞ୍ଜ ସ୍ଥାପନ ପାଇଁ ସ୍ଥାନ ମିଳିପାରିଥିଲା ।ଭାଷା ସାହିତ୍ୟରେ ତାଙ୍କର ଦକ୍ଷତା ଥିବାରୁ ଏବଂ ସାମାଜିକ ଦୂରଦୃଷ୍ଟି ତାଙ୍କୁ ସାମ୍ବାଦିକତା କ୍ଷେତ୍ରକୁ ଟାଣି ନେଇଥିଲା । କଲିକତାର ଅକ୍ସଫୋର୍ଡ଼ ସ୍କୁଲ ଅଫ ଜର୍ଣ୍ଣାଲିଜିମରୁ ଡ଼ିପ୍ଲମା କରିଥିବା ଶ୍ରୀ ବେହେରା ସକ୍ରୀୟ ରାଜନୀତି ଛାଡ଼ି ସାମ୍ବାଦିକତା ଜୀବନ ଆପଣାଇ ନେଇଥିଲେ । ତେବେ ସ୍ଵାସ୍ଥ୍ୟଗତ ସମସ୍ୟା କରଣରୁ ଭୂବନେଶ୍ଵରରେ ଚିକିତ୍ସଧିନ ଥିବା ବେଳେ ତାଙ୍କର ପରଲୋକ ଘଟିଛି ।
ବୁଧବାର ସନ୍ଧ୍ୟା ସମୟରେ ତାଙ୍କର ମରଶରୀର ବାରଡ଼ାଙ୍ଗୁଆ ସ୍ଥିତ ବାସଭବନରେ ପହଞ୍ଚିବା ପରେ ଜିଲ୍ଲାର ଓ ଉପଖଣ୍ଡରୁ ବହୁ ବରିଷ୍ଠ ସାମ୍ବାଦିକ, ଉପଖଣ୍ଡ ସୂଚନା ଲୋକସଂପର୍କ ଅଧିକାରୀ ସରୋଜ ପ୍ରଧାନ, କୃଷକ ସଂଗଠନ, ବଣିକ ସଂଘର ସଦସ୍ୟ ଓ ବିଶିଷଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ମୃତଦେହ ନିକଟରେ ସ୍ତ୍ରୀ ଅନିତା ଓ ୩ ଝିଅ ମାନସୀ, ଯଶଶ୍ରୀ, ଶାସ୍ଵତୀ ଓ ଆତ୍ମୀୟ ବର୍ଗ ଉପସ୍ଥିତ ଥିଲେ ।

Editor 


