ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ; ଲୋକପ୍ରିୟତାର ଶୀର୍ଷରେ ଭାରତର ପ୍ରଥମ ମଧ୍ୟମ ଅବଧି ସିନେମା ‘ଚାରିକାନ୍ଧ’

ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ; ଲୋକପ୍ରିୟତାର ଶୀର୍ଷରେ ଭାରତର ପ୍ରଥମ ମଧ୍ୟମ ଅବଧି ସିନେମା ‘ଚାରିକାନ୍ଧ’

ଭୁବନେଶ୍ୱର,୧୫/୩ : ସିନେମା ସମାଜକୁ ଦିଗ୍ ଦର୍ଶନ ଦେଖାଇଥାଏ । ଏମିତି ଏକ ମୌଳିକ ଓ ସତ୍ୟ କାହାଣୀ ଉପରେ ଆଧାରିତ ସିନେମା ‘ଚାରିକାନ୍ଧ’ ଦର୍ଶକଙ୍କୁ କରୁଛି ବିମୋହିତ । ଗାଁରୁ ସହର ସବୁଆଡ଼େ ‘ଚାରିକାନ୍ଧ’ ସିନେମାକୁ ନେଇ ଚର୍ଚ୍ଚା ଚାଲିଛି। ଲଗାତାର ଭାବେ ୧୬ ଦିନ ଧରି ପୂର୍ଣ୍ଣ ପ୍ରେକ୍ଷାଳୟରେ ନୂଆ ରେକର୍ଡ କରି ଚାଲିଛି ‘ଚାରିକାନ୍ଧ’ ସିନେମା। ବିଶେଷକରି ସିନେମାର କାହାଣୀ ଓ ନିର୍ଦ୍ଦେଶନା ଦର୍ଶକଙ୍କର ମନକୁ ଛୁଇଁଛି । ସେହି ଦର୍ଶକମାନଙ୍କର ବିଶେଷ ଅନୁରୋଧକ୍ରମେ ‘ଚାରିକାନ୍ଧ’ ସିନେମାଟି ଏବେ ମଲ୍ଟିପ୍ଲେକ୍ସ ସହ ସିଙ୍ଗଲ୍ ସ୍କ୍ରିନରେ ମଧ୍ୟ ପ୍ରଦର୍ଶିତ ହେଉଛି।

ଏହି ମଧ୍ୟମ ଅବଧିର ସିନେମାରେ ରହିଛି ଦମଦାର୍ ମେସେଜ୍ । ଯାହାକୁ ଦର୍ଶକ ପସନ୍ଦ କରୁଛନ୍ତି । ଭୁବନେଶ୍ୱରରେ ଏବେ ଦୁଇଟି ହଲରେ ଏହି ସିନେମାଟି ପ୍ରଦର୍ଶିତ ହେଉଛି । କଳ୍ପନା ସ୍ଥିତ ଥିବା ପିଭିଆର୍ ଏବଂ କେଶରୀ ସିନେମା ହଲରେ ଏହି ସିନେମାଟି ପୂର୍ଣ୍ଣ ପ୍ରେକ୍ଷାଳୟରେ ଆଗେଇ ଚାଲିଛି । ସବୁଠୁ ବଡ଼ କଥା ହେଉଛି ଏହି ସିନେମାରୁ ପ୍ରେରିତ ହୋଇ ସାମାଜିକ କାର୍ଯ୍ୟ କରିବାକୁ ସଂକଳ୍ପ ନେଲେଣି କିଛି ଯୁବପିଢ଼ି । ମୃତ୍ୟୁ ପରେ ଚାରିକାନ୍ଧ ଅଭାବ ପଡୁଥିବା ସମୟରେ ଏବେ ସିନେମା ଦେଖି ଅନେକ ଯୁବପିଢ଼ି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଚାରିକାନ୍ଧ ଦେବା ପାଇଁ ନିଜକୁ ପ୍ରସ୍ତୁତ କଲେଣି। 

ରିତୁପ୍ରିୟା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି ଭାରତର ପ୍ରଥମ ମଧ୍ୟମ ଅବଧି ଚଳଚ୍ଚିତ୍ର ‘ଚାରିକାନ୍ଧ’ । ଓଡ଼ିଶାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଦେଶ ବିଦେଶରେ ବେଶ୍ ଆଦୃତ ଲାଭ କରିଛି । ସୂଚନା ଅନୁସାରେ, ‘ଚାରିକାନ୍ଧ’ର ପ୍ରଯୋଜକ ଅତିଶ କୁମାର ରାଉତ ରହିଥିବାବେଳେ ଲେଖକ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଶ୍ୱନାଥ ରଥ। ଅଭିନୟରେ ଅଭିନେତା ଶକ୍ତି ବରାଳ, ଶତାବ୍ଦୀ ସୁର୍ଯ୍ୟସ୍ନାତା, ସୁଶିଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ. ପାଢ଼ି, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ. ରାଜେନ୍ଦ୍ର, ସୌମ୍ୟ ଆର୍.ଷଡ଼ଙ୍ଗି ପ୍ରମୁଖ ରହିଛନ୍ତି । ୩୭ ମିନିଟର ଏହି ଫିଲ୍ମଟି ୪୬ରୁ ଅଧିକ ଜାତୀୟ ଓ ୨୨ରୁ ଅଧିକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ଅନେକ ବର୍ଗରେ ପୁରସ୍କୃତ ହୋଇଛି ।