ପଛୁଆ ବର୍ଗଙ୍କୁ ବିଜେଡି ତାଙ୍କ ହକରୁ ବଂଚିତ କରି ରଖିଥିଲା : ସୁରଥ ବିଶ୍ୱାଳ
 
                                ଭୁବନେଶ୍ୱର, ୩୦/୧୦ : ବିଜେଡି ଦୀର୍ଘ ବର୍ଷ ଓଡ଼ିଶାରେ କ୍ଷମତାରେ ଥିଲେ ବି ଜାଣି ଶୁଣି ଯୋଜନାବଦ୍ଧ ଭାବେ କେନ୍ଦ୍ରୀୟ ତାଲିକାରୁ ବଂଚିତ ପଛୁଆ ବର୍ଗଙ୍କ ପାଇଁ କୌଣସି ପଦକ୍ଷେପ ନେଉ ନ ଥିଲା । ପଛୁଆ ବର୍ଗଙ୍କୁ ବିଜେଡି ତାଙ୍କ ହକ୍ରୁ ବଂଚିତ କରି ରଖିଥିଲା । ତେବେ କେନ୍ଦ୍ରୀୟ ଓବିସି କମିଶନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ରାଜ୍ୟ ସରକାର ଯେତେ ଶୀଘ୍ର ରିପୋର୍ଟ ଦେବେ, ଦିଲ୍ଲୀରେ ତର୍ଜମା କରି ଓଡ଼ିଶାର ବଂଚିତ ଏସ୍ସିବିସି ବର୍ଗଙ୍କୁ ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ କରାଯିବ ବୋଲି ସୁରଥ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୨ ଦିନିଆ ଓଡ଼ିଶାଗସ୍ତ ସମାପ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି ଜାତୀୟ ଓବିସି କମିଶନ ଅଧ୍ୟକ୍ଷ । ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ସମୟରେ କେନ୍ଦ୍ର ଓବିସି କମିଶନ ମଧ୍ୟ ଓଡ଼ିଶାର ଏସିବିସିମାନଙ୍କର ଯୁକ୍ତି ସମ୍ବଳିତ ତଥ୍ୟକୁ ସ୍ୱୀକାର କରି ସେମାନଙ୍କ ଦାବିକୁ ଗ୍ରହଣ କରାଯିବା ସମ୍ପର୍କରେ ମତପୋଷଣ କରିଥିଲେ । ଓଡ଼ିଶାରୁ ୫୦ରୁ ଅଧିକ ଜାତି ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ ବୋଲି କେନ୍ଦ୍ରୀୟ କମିଶନ ସ୍ୱୀକାର କରିଛନ୍ତି । ବିଭିନ୍ନ ଜାତି ବର୍ଗରୁ ଆସିଥିବା ପ୍ରତିନିଧିମାନେ କମିଶନ ଅଧ୍ୟକ୍ଷଙ୍କୁ ଯେଉଁ ଦସ୍ତାବିଜ୍ ଦେଲେ ସେମାନେ ରାଜ୍ୟ ସରକାରଙ୍କ ପାଖରେ ସେଇ ସବୁ ପ୍ରମାଣପତ୍ର ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ପଛୁଆ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ସରକାରଙ୍କ ଅନେକ ସୁବିଧା ସୁଯୋଗ ପାଇବାରେ ଏହି ଜାତିବର୍ଗର ଲୋକମାନେ ସକ୍ଷମ ହେବେ । କେନ୍ଦ୍ର ସରକାରଙ୍କ ସଂସ୍ଥା ଗୁଡ଼ିକରେ ଚାକିରୀ, ପାଠପଢା ପାଇଁ ନାମ ଲେଖାରେ ସଂରକ୍ଷଣ ଓଡ଼ିଶାର ଏସିବିସି ବର୍ଗ ପାଇପାରୁନାହାନ୍ତି । ଏସିବିସିରୁ ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ ହେଲେ ସଂରକ୍ଷଣର ସମସ୍ତ ସୁବିଧା ସୁଯୋଗ ପାଇପାରିବେ । ପାଠପଢ଼ା ପାଇଁ ଯେଉଁ ୨୭ପ୍ରତିଶତ ସଂରକ୍ଷଣ ରହିଛି, ତାହା ମଧ୍ୟ ପାଇପାରିବେ । ଏ ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଖୁବ୍ଶୀଘ୍ର ରିପୋର୍ଟ ଦେବେ ବୋଲି ଶ୍ରୀ ବିଶ୍ୱାଳ ଆଶାବ୍ୟକ୍ତ କରିଛନ୍ତି ।
 

 Editor
                                    Editor                                 
    
             
    
             
    
             
    
             
    
             
    
            

 
    
 
    
 
    
 
    
 
    

