ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୪ :ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ। ଷଷ୍ଠଥର ପାଇଁ ସେ ଏହି ଆସନରୁ ବିଜେଡିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ନାମାଙ୍କନ ପାଇଁ ସେ ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହିଞ୍ଜିଳି ଅଭିମୁଖେ ଯାତ୍ରା କରିବେ। ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ମାଆଙ୍କ ଆଶୀର୍ବାଦ ନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ସ୍ଥାନୀୟ ନେତା ଉପସ୍ଥିତ ରହିବେ।

୨୦୦୦ରୁ ନବୀନ ହିଞ୍ଜିଳିରୁ ବିଧାୟକ ରହି ଆସିଛନ୍ତି। ଚଳିତ ନିର୍ବାଚନରେ ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ହିଞ୍ଜିଳିରୁ ତାଙ୍କ ବିପକ୍ଷରେ ବିଜେପିରୁ ଶିଶିର ମିଶ୍ର ଓ କଂଗ୍ରେସରୁ ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ମେ ୨୦ରେ ହିଞ୍ଜିଳିରେ ମତଦାନ ହେବ।