ସେପ୍ଟେମ୍ବର ୨୧ରେ ହେବ “ନମୋ ଯୁବ ମାରାଥନ”

ସେପ୍ଟେମ୍ବର ୨୧ରେ ହେବ “ନମୋ ଯୁବ ମାରାଥନ”

ଭୁବନେଶ୍ୱର,୧୮/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବବର୍ଗର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କ ପ୍ରୟାସ ଯୋଗୁଁ ସାରା ବିଶ୍ୱରେ ଭାରତର ଯୁବ ବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସମସ୍ତେ ମୋଦିଙ୍କ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ମୋଦିଙ୍କ ଜନ୍ମଦିନକୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ “ନମୋ ଯୁବ ମାରାଥନ” ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଯୁବବର୍ଗଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜିର ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମ ସହିତ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପ୍ରମୁଖ ଭୁମିକା ରହିଛି । “ନମୋ ଯୁବା ମାରାଥନ”ର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହିତ ନମୋ ଯୁବ ମାରାଥନର ପୋଷ୍ଟର ଉନ୍ମୋଚନ ହୋଇଯାଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି ।

ଏହି ବୈଠକରେ ଯୋଗଦେଇ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ଯୁବ ମାରାଥନ ଜରିଆରେ ନିଶା ମୁକ୍ତ ଭାରତର ବାର୍ତା ଦିଆଯିବ । ଏଥିରେ ଦଶ ହଜାରରୁ ଊର୍ଦ୍ଧ୍ୱ ଯୁବ ବର୍ଗ ସାମିଲ ହେବେ । ମା’ ମାତୃଭୂମି ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୁବତୀ ଏହି ମାରାଥନ ସାମିଲ ହେବା ପାଇଁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ହାସ୍ୟ ଅଭିନେତା ଶ୍ରୀ ହରିହର ମହାପାତ୍ର, ଅଭିନେତ୍ରୀ ଅଙ୍କିତା ଦାଶ, ପ୍ରଶାନ୍ତ ନାୟକ, ପ୍ରକାଶ ସାହୁ, ଅମିତ କୁମାର ସିଂ, ସୁବ୍ରତ ବିଶ୍ୱାଳଙ୍କ ସମେତ ଶତାଧିକ ଇନଫ୍ଲୁଏନ୍ସର ଯୋଗ ଦେଇଥିଲେ ।