ଜି.ବି ନଗର ବ୍ଲକରେ ବାତ୍ୟା ପ୍ରସ୍ତୁତି ବୈଠକ ; ଜିରୋ କାଜୁଆଲଟି ଉପରେ ଗୁରୁତ୍ବାରୋପ

ଜି.ବି ନଗର ବ୍ଲକରେ ବାତ୍ୟା ପ୍ରସ୍ତୁତି ବୈଠକ ; ଜିରୋ କାଜୁଆଲଟି ଉପରେ ଗୁରୁତ୍ବାରୋପ

ଖୁଣ୍ଟା,୨୩/୧୦ : ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ବାତ୍ୟାର ମୁକାବିଲା ପାଇଁ ଗୋପବନ୍ଧୁ ନଗର ବ୍ଲକ ପକ୍ଷରୁ ଏକ ଜରୁରୀ ବୈଠକ ବିଡିଓ କରୁଣାକର ଧିନ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବ୍ଲକ ଉପାଧକ୍ଷା ରଶ୍ମୀତା ଚୈଧୁରୀ, ତହସିଲଦାର ଓମପ୍ରକାଶ ମହାନ୍ତି, ସହକାରୀ ଯନ୍ତ୍ରୀ ବିନୋୟଜ୍ୟୋତି ଲେଙ୍କାଙ୍କ ସମେତ ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଣ ବିଭାଗ, ଆଇସିଡିଏସ, ଅଗ୍ନିଶମ ବିଭାଗ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।  

ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଡିଓ ଶ୍ରୀ ଧିନ୍ଦା ସମସ୍ତ ଅଧିକାରୀ ଓ ପଞ୍ଚାୟତର ଲୋକ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପର ୨୪ ଓ ୨୫ଏହି ଦୁଇ ଦିନ ଗୁରୁତ୍ୱପୂର୍ଣ୍ଣ । ବାତ୍ୟା ସହ ଅଧିକ ବର୍ଷାର ସମ୍ଭାବନା ଯୋଗୁଁ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପ୍ରତି ପଞ୍ଚାୟତ ଅଧିକାରୀମାନେ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ମୁଖ୍ୟତଃ କଚ୍ଚା ଓ ଏଜବେଷ୍ଟସ ଆଦି ବିପଦ ପୂର୍ଣ୍ଣ ଘରମାନଙ୍କରେ ରହୁଥିବା ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନମାନଙ୍କରେ ଆଶ୍ରୟ ନେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ବ୍ଳକରୁ ମୋଟ ୫ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯିବାକୁ ଥିବାବେଳେ ୧୩ଟି ପଞ୍ଚାୟତରେ ଦୁଇଟି ଲେଖାଏଁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇ ସଂପୃକ୍ତ ସ୍ଥାନମାନଙ୍କରେ ବିଦ୍ୟୁତ୍, ପାନୀୟ ଜଳ, ଖାଦ୍ୟ ଓ ଶୌଚ ସୁବିଧା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । 

ବାତ୍ୟା ପୂର୍ବରୁ ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ଚିକିତ୍ସା କେନ୍ଦ୍ରରେ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯିବା ଓ ପକ୍ଷାଘାତ ରୋଗୀଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ ବିଡିଓ ଶ୍ରୀ ଧିନ୍ଦା । ତତସହିତ ଗୃହ ପାଳିତ ପଶୁମାନଙ୍କୁ ନିରାପଦ ସ୍ଥାନମାନଙ୍କୁ ନେଇଯିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।