ସ୍ବଚ୍ଛବାୟୁ ଦିବସ-୨୦୨୪ ପାଳିତ : ପାରିପାର୍ଶ୍ବକ ଜଳବାୟୁ ଶୁଦ୍ଧତାକୁ ଗୁରୁତ୍ବ

ରାଉରକେଲା,୬/୯ : ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୌଜନ୍ୟ କ୍ରମେ ବୁଧବାର ରାଉରକେଲା ସିଭିକ୍ ସେଣ୍ଟରରେ ୫ମ ଅନ୍ତର୍ଜାତୀୟ ନୀଳ ଆକାଶ ପାଇଁ ସ୍ବଚ୍ଛବାୟୁ ଦିବସ-୨୦୨୪ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଉରକେଲାର ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଧିକାରୀ ଅନୁପ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆର୍ଏସ୍ପି କାର୍ଯ୍ୟ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ଏସ୍. ଆର. ସୂର୍ଯ୍ୟବଂଶୀ, ଏଚ୍ଆର ଏବଂ ପ୍ରକଳ୍ପ ବିଭାଗ ଅତିରିକ୍ତ ଅଧିକାରୀ ତରୁଣ ମିଶ୍ର, ଖଣି ବିଭାଗ ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ଅତିଥି ଭାବେ ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର ଉମାମହେଶ୍ବର ରାଓ ଯୋଗ ଦେଇଥିଲେ। ବାୟୁର ଅନେକ କଣିକା ଅଦୃଶ୍ୟମାନ।
ଏଣୁ ଅଦୃଶ୍ୟ ବାୟୁ କଣିକା ବିଷୟରେ ଜନସଚେତନତା ନିହାତି ଆବଶ୍ୟକ। ସାରା ରାଜ୍ୟରେ ଯେତେ ସବୁ ସହର ରହିଛି ତନ୍ମଧ୍ୟରୁ ରାଉରକେଲା ହେଉଛି ଏକ ଅନନ୍ୟ ସହର । ଚଳିତ ବର୍ଷ ଅନ୍ୟ ସହର ଅପେକ୍ଷା ରାଉରକେଲା ସହରର ବାୟୁ ପ୍ରଦୂଷଣ ମାତ୍ରା ୧୨ପ୍ରତିଶତ ହ୍ରାସ ପାଇ ସହରର ବାୟୁ କଣିକାରେ ବେଶ ଶୁଦ୍ଧତା ଆସିଛି। ଏଣୁ ଏହି ଧାରାକୁ ବଜାୟ ରଖିବା ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ମଲ୍ଲିକ ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ। ସୂର୍ଯ୍ୟବଂଶୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଆମେ ସମସ୍ତେ ଏକ ମହାମାରୀରୁ କିଛି ଦିନ ତଳେ ନିସ୍ତାର ପାଇଛୁ। ଏହି ସମୟରେ ମଧ୍ୟ ବାୟୁ ପ୍ରମୁଖ କାରଣ ସାଜିଥିଲା। ଏଣୁ ଆମ ପାରିପାର୍ଶ୍ଵକ ଜଳବାୟୁ ଶୁଦ୍ଧତା ବଜାୟ ରଖିବା ପାଇଁ ହେଲେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଜନିତ ମୁଖ୍ୟ କାରକମାନଙ୍କୁ ପ୍ରତିହତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ଆଲୋକ ବର୍ମା, ତରୁଣ ମିଶ୍ର, ଏନଆଇଟି ନିର୍ଦ୍ଦେଶକ ପ୍ରଫେସର ଉମା ମହେଶ୍ବର ରାଓ ପ୍ରମୁଖ ବକ୍ତବ୍ୟ ଦେଇ ବାୟୁ ପ୍ରଦୂଷଣ ଉପରେ ଜନସଚେତନତା ସୃଷ୍ଟି କରିଥିଲେ।
ଏହାପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତାକୁ ନେଇ ସାମୂହିକ ଶପଥ ପାଠ କରାଯାଇଥିଲା। ପରେ ବାୟୁ ପ୍ରଦୂଷଣ ସମ୍ପର୍କିତ ବୈଷୟିକ ସମୀକ୍ଷା-୧ ଓ ସମୀକ୍ଷା-୨ ଆୟୋଜିତ ହୋଇଥିଲା। ଏଥିସହ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ବାରା ବାୟୁ ପ୍ରଦୂଷଣ ଉପରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ ହେବା ପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।