ରାଉରକେଲାକୁ ପ୍ରଶଂସା କଲେ ଗୋନାସିକା ହକି ଦଳ
ରାଉରକେଲା, ୨୬/୧୨ : ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ । ଏହାକୁ ନେଇ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ରାଉରକେଲା ହକି ଭିଲେଜଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଭାଇଜାଗର ଗୋନାସିକା ଦଳ ନିଜର ଜର୍ସି ଲଞ୍ଚ ସହ ଅଧିନାୟକ ଘୋଷଣା କରିଛି । ଦଳ ଏଥର ହକି ଇଣ୍ଡିଆ ଲିଗରେ କିଭଳି ଭଲ ପ୍ରଦର୍ଶନ କରିବ ଏବଂ ଦଳ ଫାଇନାଲକୁ ଯାଇ ଟ୍ରଫି ହାସଲ କରିବ ସେଥି ନେଇ ଦଳ କିଭଳି ଭାବରେ ନିଜକୁ ପ୍ରସ୍ତୁତ କରିଛି ସାମ୍ୱାଦିକ ସମ୍ମୀଳନୀରେ ପ୍ରକାଶ କରିଛନ୍ତି ଦଳର କୋଚ୍ ଓ କ୍ୟାପଟେନ । କ୍ୟାପଟେନ ମାନପ୍ରିତ କହିଛନ୍ତି ଯେ, ଦଳରେ ସ୍ଥାନ ପାଇଥିବା ବିଦେଶୀ ଖେଳାଳୀଙ୍କ ଟେକନିକ ଓ ସୁନ୍ଦରଗଡ଼ ଜିଲ୍ଲାର ଖେଳାଳୀଙ୍କ ପରିଶ୍ରମକୁ ନେଇ ଆମେ ନିଶ୍ଚିତ ଆଶାବାଦୀ ଯେ ଫାଇନାଲ ଖେଳିବୁ । ହକିର ଗଡ ବୋଲି କୁହାଯାଉଥିବା ରାଉରକେଲାରେ ଯଥେଷ୍ଟ ହକି ପ୍ରେମୀ ରହିଥିବାବେଳେ ସେମାନଙ୍କ ପାଇଁ ଖେଳିବୁ ଏବଂ ଫାଇନାଲରେ ବିଜୟୀ ହେବୁ।
ତେବେ କୋଚ୍ ପଲ ରେଭିଙ୍ଗଟନ ମଧ୍ୟ କହିଛନ୍ତି ଯେ, ଦଳ ଭଲ ପ୍ରଦର୍ଶନ କରିବା ସହ ଏଥର ଲୋକଙ୍କୁ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବ ଏବଂ ବିଜୟୀ ହେବ ଏବଂ ଆସିଷ୍ଟାଣ୍ଟ କୋଚ୍ ଜଗବିର ସିଂ ମଧ୍ୟ ଦଳ ଭଲ କରିବା ନେଇ ଆଶା ରଖିଛନ୍ତି ଏବଂ ରାଉରକେଲା ବିର୍ଷା ମୁଣ୍ଡା ହକି ଷ୍ଟାଡିୟମକୁ ପ୍ରଶଂସା କରିଛନ୍ତି । ଏହି ଷ୍ଟାଡିୟମରେ ଦର୍ଶକ ହକି ଖେଳକୁ ଯଥେଷ୍ଟ ପସନ୍ଦ କରନ୍ତି ଏବଂ ଭଲ ଖେଳାଳୀଙ୍କୁ ଚିୟର ଅପ୍ କରନ୍ତି। ରାଉରକେଲା ବିଶ୍ବର ଅନ୍ୟତମ ବୃହତ୍ତମ ଷ୍ଟାଡିୟମ୍ ପାଇଁ ରାଜ୍ୟ ସରକାର ଏବଂ ହକି ର ପ୍ରାୟୋଜକ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ୱରେ ଯେଉଁଠି ଖେଳିଲେ ମଧ୍ୟ ରାଉରକେଲା ଏବଂ ଭୁବନେଶ୍ୱର ଭଳି ଲୋକଙ୍କ ସମର୍ଥନ କେଉଁଠି ମିଳେନାହିଁ ତେଣୁ ପ୍ରତ୍ୟେକ ବିଦେଶୀ ଓ ଦେଶର ଖେଳାଳୀମାନଙ୍କ ପାଇଁ ଓଡ଼ିଶା ଏକ ନିଆରା ଅନୁଭୁତି ଆଣିଥାଏ।
୨୮ ଡିସେମ୍ବରରେ ହେବାକୁ ଯାଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ପ୍ରଥମ ଦିନର ଖେଳ ବେଶ୍ ଉତ୍ସାହଜନକ ହେବ କାରଣ ଗୋନାଶିକା ଟିମ୍ ଭେଟିବ ଦିଲ୍ଲୀ ଏସଜି ପାଇପରସକୁ। ସେହି ଦିନ ଉଚ୍ଚ ମାନର ଖେଳ ପ୍ରଦର୍ଶନ ପାଇଁ ଟିମ୍ ଅଭ୍ୟାସ କରି ନିଜ ଟିମର ସମସ୍ତ ସଦସ୍ୟମାନଙ୍କୁ ଫିଟ୍ ରଖିଛି ବୋଲି କହିଛନ୍ତି କୋଚ୍।

Editor 


