ଆରଜିଏଚକୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତା ସହ ରାଉରକେଲାରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ସ୍ମାରକପତ୍ର

ଆରଜିଏଚକୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତା ସହ ରାଉରକେଲାରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ସ୍ମାରକପତ୍ର

ରାଉରକେଲା, ୧୨/୧୨ : ସ୍ମାର୍ଟ ସିଟି ରାଉରକେଲାରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିଲା ବେଳେ ସେହି ପରିମାଣରେ ଏଠାରେ ରହିଥିବା ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ ଆବଶ୍ୟକ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାବେଳେ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ଅଭାବ ରହିଛି। ଅନ୍ଯପକ୍ଷରେ ସହରର ସୀମାକୁ ଲାଗିରହିଥିବା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟର ସୀମାବର୍ତ୍ତୀ ଅଂଚଳରୁ ଦୈନିକ ରୋଗୀମାନେ ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବାରୁ ଏଠି ସବୁବେଳେ ଚିକିତ୍ସା ପାଇଁ ନାହିଁ ନଥିବା ଭିଡ଼ ଦେଖାଯାଉଛି । 

ଏହି ସମସ୍ୟାର ସମାଧାନ ପାଇଁ ଏବଂ ରାଉରକେଲା ସରକାରୀ ଡାକ୍ତରଖାନାକୁ ଜିଲ୍ଲା ସ୍ତରୀୟ ଡାକ୍ତରଖାନାର ମାନ୍ୟତା ଦେଇ ଆର ଜି ଏଚକୁ ଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ପରିଣତ କରିବା ସହ ସମୟର ଆବଶ୍ୟକତା ଓ ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦାବୀ ଅନୁସାରର ସ୍ମାର୍ଟ ସିଟି ରାଉରକେଲାରେ ଏକ ମେଡିକାଲ କଲେଜ ସ୍ଥାପନା କରିବା ଦାବିରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚାରଣ ତନ୍ତୀ ଆଜି ଭୁବନେଶ୍ୱରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିବା ସହ ନିଜ ଦାବୀ ସମ୍ବନ୍ଧରେ ଏକ ସ୍ମାରକପତ୍ର ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପ୍ରଦାନ କରିଥିଲେ। 

ବିଧାୟକଙ୍କ ସହ ଆଲୋଚନା ସମୟରେ ସହରବାସୀଙ୍କ ଦାବୀକୁ ଗମ୍ଭୀରତାର ସହ ବିଚାର କରି ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ପ୍ରକାଶ କରିଛନ୍ତି।