ମାଧୁରୀଙ୍କୁ ନେଇ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଶ୍ରୀମୟୀ ମିଶ୍ର, କହିଲେ - ଯେଉଁ ବ୍ୟକ୍ତିମାନଙ୍କର ପରିଚୟ ସଙ୍କଟ ରହିଛି …

ମାଧୁରୀଙ୍କୁ ନେଇ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଶ୍ରୀମୟୀ ମିଶ୍ର, କହିଲେ - ଯେଉଁ ବ୍ୟକ୍ତିମାନଙ୍କର ପରିଚୟ ସଙ୍କଟ ରହିଛି …

ଭୁବନେଶ୍ବର, ୪/୧୨ : ଯେଉଁ ବ୍ୟକ୍ତିମାନଙ୍କର ପରିଚୟ ସଙ୍କଟ ରହିଛି, ସେମାନେ ଜାତୀୟସ୍ତରର କଳାକାରଙ୍କ ନାମ ନେଇ ନିଜ ପରିଚୟ ବଜାୟ ରଖିବା ପ୍ରୟାସରେ ବୋଧେ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ପଦ୍ମଶ୍ରୀ ଶ୍ରୀମତୀ ମାଧୁରୀ ଦୀକ୍ଷିତ, ହିନ୍ଦୀ ଚଳଚ୍ଚିତ୍ର ଜଗତର ଏକ ସୁନାମଧନ୍ୟା ନୃତ୍ୟଶିଳ୍ପୀ ଓ ଅଭିନୟ ସାମ୍ରାଜ୍ଞୀ। ଏକଥା ସମଗ୍ର ଭାରତବର୍ଷ ସ୍ବୀକାର କରେ। ତାଙ୍କର ଉଚ୍ଚକୋଟୀର ଅଭିନୟ ଓ ନୃତ୍ୟ ବଲିଉଡକୁ ଯେତେ ଗୌରବ ଦେଇଛି, ତାହା ଅତୁଳନୀୟ।

ତାଙ୍କୁ ଦେଖି କୋଟିକୋଟି ଝିଅ ନିଜର ସ୍ବପ୍ନ ବୁଣିଛନ୍ତି। ତାଙ୍କ ସ୍ମିତ ହସ ଏକାଧିକ ପିଢ଼ିର ମନ ଜିଣି ନେଇଛି। ହଁ, ସେ ଓଡ଼ିଶାର ଗୌରବମୟ ମାଟିରେ ମଧ୍ୟ ପାଦ ରଖିଥିଲେ। ସେ ଥିଲା ୨୦୧୮ ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବର ଅବିସ୍ମରଣୀୟ ସନ୍ଧ୍ୟା। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଉତ୍ସବ ଆୟୋଜିତ ହୋଇଥିଲା, ତହିଁରେ ମାଧୁରୀ ନିଜର ଗୀତ ସମ୍ଭାର ନେଇ ଓଡ଼ିଆ ଦର୍ଶକଙ୍କ ମନଜିଣି ଥିଲେ। ସେଦିନ ତାଙ୍କର ପାରିଶ୍ରମିକ କେତେ ଥିଲା, ଏ ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି। କିନ୍ତୁ ଏକଥା ସ୍ମରଣ ରହୁ, ଯେ କୌଣସି ବିଶିଷ୍ଟ କଳାକାରଙ୍କୁ ତାଙ୍କର କଳାର ମୂଲ୍ୟ ଦେବା ଏକ ପ୍ରଥା ଓ ସମ୍ମାନର ବିଷୟ। ସେ ଯେତେ ଧନ ନେଇଥାନ୍ତୁ ନା କାହିଁକି, ତାହା ତାଙ୍କ ବର୍ଷ ବର୍ଷର ଅକ୍ଳାନ୍ତ ସାଧନାର ଏକ କ୍ଷୁଦ୍ର ସମ୍ମାନ ମାତ୍ର। ତାଙ୍କର ଏକ ଝଲକ ପାଇଁ ଲକ୍ଷ ଲକ୍ଷ ଦର୍ଶକ ଅପେକ୍ଷା କରି ରହିଥାଆନ୍ତି, ତେଣୁ ତାଙ୍କ କଳାର ମୂଲ୍ୟ ଧନରେ ମାପି ହେବ ନାହିଁ। ତାଙ୍କର କଳା କ୍ଷେତ୍ରରେ ଅବଦାନକୁ ଟଙ୍କାରେ ତଉଲିବା ଅର୍ଥ ତାଙ୍କର କଳାର ମହତ୍ବକୁ କମ୍ କରିବା , ଅପମାନିତ କରିବା, ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଯେଉଁ ବ୍ୟକ୍ତିମାନଙ୍କର ପରିଚୟ ସଙ୍କଟ ରହିଛି, ସେମାନେ ଜାତୀୟସ୍ତରର କଳାକାରଙ୍କ ନାମ ନେଇ ନିଜ ପରିଚୟ ବଜାୟ ରଖିବା ପ୍ରୟାସରେ ବୋଧେ ।