ରାଜାରାଣୀ ସଙ୍ଗୀତ ଉତ୍ସବର ଉଦ୍ଘାପଟନୀ ସଂଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

ରାଜାରାଣୀ ସଙ୍ଗୀତ ଉତ୍ସବର ଉଦ୍ଘାପଟନୀ ସଂଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର , ୧୬/ ୧ : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଜରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା । ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା । 

ଉଦ୍ଘାୟଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଅଚ୍ୟୁତ ମହାରଣା ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବର ନିଖୁଣ ତଥା ସୁନ୍ଦର ପରିବେଷଣ । ପ୍ରଥମେ ରାଗ ବଜ୍ରକାନ୍ତି ତାଳ ଜତି ଉପରେ ନିବଦ୍ଧ ପ୍ରବନ୍ଧ ନିଶି ନାଥ ବଦନୀ ପରେ ପରେ ନଜା ଯମୁନାରେ ରାଧା ପରିବେଷଣ କରିଥିଲେ । ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଅଚ୍ୟୁତ ମହାରଣା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ମର୍ଦଳରେ ଗୁରୁ ସଚ୍ଚିଦା ନନ୍ଦ ଦାସ, ବଂଶୀରେ ଡକ୍ଟର ଜବାହାର ମିଶ୍ର, ହାରମୋନିୟମରେ ଗୁରୁ ମୁରଲୀଧର ସ୍ଵାଇଁ ଏବଂ ତାନପୁରାରେ ମମତା ଶ୍ରୀଚନ୍ଦନ ଓ ସଂଗୀତା ନାୟକ ସହଯୋଗ କରିଥିଲେ ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ସଙ୍ଗୀତ ବିଷାରଦ ପଣ୍ଡିତ ସୁରେଶ ତଲୱାଲକର ଓ ସାଥୀଙ୍କ ଦ୍ୱାରା ତାଳ କୀର୍ତ୍ତନ ପରିବେଷଣ । ତାଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍ରଓ ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ବାଦ୍ୟର ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ହାରମୋନିୟମରେ ଅମେୟ ବିଚୁ, ତବଲାରେ ଶାବନୀ ତଲୱାଲକର ଓ କୌସ୍ତୁଭ ସ୍ଵାଇଁ, କୋହନରେ ଈଶାନ ପ୍ରମୋଦ ପରାନଞ୍ଜପେ, ପାଶ୍ଚାତ୍ୟ ଡ୍ରମରେ ଅଭିଷେକ ଭୁରୁକ୍ ଓ କଣ୍ଠରେ ନାଡୁକ୍କାଣ୍ଡି ବିନୟ ରାମଦାସନ ଏବଂ ମଞ୍ଜିରାରେ ଜିତେନ୍ଦ୍ର ସ୍ଵାଇଁ । 

ଉଦ୍ଘାସଟନୀ ସଂଧ୍ୟାରେ ଅତିଥିମାନେ ଥିଲେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର-ଭୁବନେଶ୍ୱରର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ, ଓଡ଼ିଆ ଭାଷା, ସାହି‎ତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ସାଧନା ଶ୍ରିବାସ୍ତବ ଓ ଡକ୍ଟର ସଂଗୀତା ଗୋସାଇଁ ।