ଛାତ୍ରମାନଙ୍କୁ କାମ କରେଇବା ଓ ଥାଳି ଧୋଇବାକୁ ବାହାରକୁ ଯିବା ଘଟଣା : ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଛାତ୍ରମାନଙ୍କୁ କାମ କରେଇବା ଓ ଥାଳି ଧୋଇବାକୁ ବାହାରକୁ ଯିବା ଘଟଣା :  ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୨୩/୭ : ସ୍କୁଲ ପରିସରରେ ଛାତ୍ରମାନଙ୍କୁ ଶ୍ରମିକ ଭଳିଆ କାମ କରେଇବା ତଥା ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଥାଳି ଧୋଇବାକୁ ସ୍କୁଲ ପରିସରର ୧୦୦ମିଟର ବାହାରେ ଥିବା ଗାଡ଼ିଆକୁ ଯିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ l ଏହି ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ l ଏ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଧନକଉଡ଼ା ବ୍ଲକ ଶିକ୍ଷା ଅଧିକାରୀ l ଏନେଇ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୂଚନା ଦେଇଛନ୍ତି l କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଟୁପଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହରଙ୍କୁ ନିଲମ୍ବନ କରାଯାଇଥିବାବେଳେ, ସହକାରୀ ଶିକ୍ଷୟିତ୍ରୀଙ୍କ ଗୋଟିଏ ମାସର ଦରମା ବନ୍ଦ କରାଯାଇଛି l

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୮ତାରିଖରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢା ସମୟରେ କେତେକ ଛାତ୍ର ଫାଉଡ଼ା ଧରି ସ୍କୁଲ ପରିସର ଭିତରେ ସ୍କୁଲ ୟୁନିଫର୍ମ ପିନ୍ଧି ଅନା ବନା ଘାସ ଓ ଛୋଟ ଗଛ କାଟୁଥିବା ର ଦୃଶ୍ୟ ଦେଖୁବାକୁ ମିଳିଥିଲା l କେବଳ ଏତିକି ନୁହେଁ ସ୍କୁଲ ସବୁ ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇ ସାରି ସ୍କୁଲ ପରିସର ବାହାରକୁ ଯାଇ ଏକ ଗାଡ଼ିଆରେ ଅତି ବିପଦ ଜନକ ପରିସ୍ଥିତି ରେ ଥାଳି ଧୋଉଥିବା ଦେଖିବାକୁ ମିଳିଥିଲା l ଏ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଧନକଉଡ଼ା ବିଈଓଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲେ l

ବିଇଓ ବା ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୋମବାର ନିଜେ ଜଟୁପଡ଼ା ସ୍କୁଲ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ପଚରାଉଚରା କରିଥିଲେ l ଛାତ୍ରଛାତ୍ରୀମାନେ ସ୍କୁଲ ପରିସର ବାହାରେ ଥିବା ଗାଡ଼ିଆକୁ ଥାଳି ଧୋଇବାକୁ ଯିବା ଘଟଣା ଓ ଗଛ କାଟିବା ତଥା ଘାସ କାଟିବା ଘଟଣା ସତ ବୋଲି ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ l ତେବେ ଏହି ଘଟଣା ଘଟିବା ସମୟରେ ହେଡ଼ ମିଷ୍ଟ୍ରେସ ଉଷା ହର ସ୍କୁଲରେ ଉପସ୍ଥିତ ନ ଥିଲେ ଓ ସେ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ସ୍କୁଲ ବାହାରକୁ ଯାଇ ଥିବାରୁ ଦାୟିତ୍ୱ ରେ ଅବହେଳା କରିଥିବା ଅଭିଯୋଗ ରେ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଗୋଟିଏ ମାସର ଦରମା ବନ୍ଦ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୂଚନା ଦେଇଛନ୍ତି l

ଅନ୍ୟପଟେ ଆଉ ୨ଗୋଟି ଘଟଣାରେ ଆଉ ୨ଶିକ୍ଷକ ନିଲମ୍ବିତ ହୋଇଛନ୍ତି l ଧନକଉଡ଼ା ବ୍ଲକର ଗଡ଼ମୁଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର କରିଥିବା ଅଭିଯୋଗରେ ନିଲମ୍ବନ କରାଯାଇଛି l ଅନ୍ୟପଟେ ଧନକଉଡ଼ା ସଦେଇପାଲି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଆସିସଷ୍ଟାଣ୍ଟ ଟିଚର ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ନିଲମ୍ବନ ହୋଇଛନ୍ତି l ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୂଚନା ଦେଇଛନ୍ତି ।