ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର,୩୦/୪ : ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଏସଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ ବାହାରିବ ଫଳାଫଳ । ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଫଳ ମଧ୍ୟ ବାହାରିବ । ତେବେ ପୂର୍ବ ବର୍ଷ ଭଳି ଏକସଙ୍ଗେ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇବ। ବୋର୍ଡର ୱେବ ସାଇଟ www.bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ ନମ୍ବର ଜରିଆରେ ପରୀକ୍ଷାଫଳ ଦେଖିପାରିବେ ।  

ଅପରାହ୍ନ ୪ଟାରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ ପାଇବ । କିନ୍ତୁ ସନ୍ଧ୍ୟା ୬ଟା ପରଠାରୁ ପରୀକ୍ଷାର୍ଥୀମାନେ ଓ୍ବେବସାଇଟରେ ତାଙ୍କର ଫଳାଫଳ ଦେଖିପାରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଯେଉଁ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦିଆଯିବ ସେଗୁଡ଼ିକ ଇଂରାଜୀ ସହ ଓଡ଼ିଆରେ ଲିପିବଦ୍ଧ ହେବ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଏକ ଉତ୍ସାହ ଦେଖାଦେଇଛି । ରେଜଲ୍ଟ ଦିନ ସର୍ଭର ଟିକେ ସମସ୍ୟା ଦେଖାଯାଏ । ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ ସେଠାରେ ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ରେଜଲ୍ଟ ପାଇପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଥର ରାଜ୍ୟର ମୋଟ ୩,୦୮୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଛନ୍ତି ।