ଜଙ୍ଗଲ ଦିବସରେ ଜଙ୍ଗଲ ପୋଡ଼ିର ନିରାକରଣ ପାଇଁ ଶିମିଳିପାଳରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ବର,୨୧/୩ : ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ଜନ ଭାଗିଦାରୀ ଏକ ପ୍ରମୁଖ ଆହ୍ୱାନ l ସବୁ ସମୟରେ ମନୁଷ୍ୟ କୃତ ନିଆଁ ହିଁ ଜଙ୍ଗଲକୁ ଅଗ୍ନିମୟ କରୁଛି l ସତରେ ଜଙ୍ଗଲ ଯଦି କଥା କହି ପାରନ୍ତା ଆମେ ତାର ଅଗ୍ନିଭରା କୋହ ସହ କଷ୍ଟମୟ ଚିତ୍କାର କ’ଣ ଆମ କାନ ସହି ପାରନ୍ତା l ଯେଉଁ ଭଳି ଯୁଦ୍ଧ ହେବା ଦ୍ୱାରା ସାରା ବିଶ୍ୱରେ ଅର୍ଥନୀତି ଠୁ ଆରମ୍ଭ କରି ସାମାଜିକ କ୍ଷତି ସହିବାକୁ ପଡୁଛି, ତାର ପୁରା କୁପ୍ରଭାବ ପରିବେଶରେ ପଡୁଛି l ବହୁ ଗବେଷଣାରୁ ଜଣା ପଡ଼ିଛି ଯେ ସାରା ପୃଥିବୀର ସବୁ ଗଛ ଯଦି କାଟି ଦିଆଯାଏ ତେବେ କିଛି ସମୟ ମଧ୍ୟରେ ପ୍ରାଣୀ ଜଗତ ଠପ ହୋଇଯିବ l ଜଙ୍ଗଲ ନିଆଁକୁ କେବଳ ପ୍ରତିହତ କରିବ ଆମ ଜନ ମାନସ l ବିଷୟ ଏହା ଯେ ଜଙ୍ଗଲ ପାଦ ଦେଶରେ ରହୁଥିବା ଲୋକମାନଙ୍କ ମଧ୍ୟରେ ପରିବର୍ତ୍ତନ ଆବଶ୍ୟକ l ଜଙ୍ଗଲକୁ ସୁରକ୍ଷା ଦେଲା ପରେ ଆମେ ଯାହା ପାଇବା ତାହା ବ୍ୟବହାର କରିବା ଉଚିତ l ପ୍ରକୃତିର ଭାରସାମ୍ୟକୁ ସନ୍ତୁଳନ କେବଳ ଜଙ୍ଗଲ ହିଁ କରୁଛି l ଏହି ଜଙ୍ଗଲର ସୁରକ୍ଷା ପାଇଁ ନୂତନ ଧରଣର ଜଙ୍ଗଲ ପୋଡ଼ିର ନିରାକାରଣ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବାରିପଦା ଜିଲ୍ଲାର ବୃହତ ଜଙ୍ଗଲ ଶିମିଳିପାଳରେ ସର୍ବ ପ୍ରଥମେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l
ସାରା ଓଡ଼ିଶାରେ ଏହି ଅନୁଷ୍ଠାନର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହୋଇଥାଏ l ମହୁଲ ଗଛ ଏହି ଜଙ୍ଗଲୀ ଅଂଚଳରେ ଏକ ଲାଭପ୍ରଦ ଗଛ ଅଟେ l ଏହି ଗଛର ଫଳକୁ ତୋଳି ସେମାନେ ପିଠା କରି ଖାଇବା ସହ ଅନ୍ୟ ବ୍ୟବସାୟରେ ଲଗାଇଥାନ୍ତି l ଏହି ଫଳ ତୋଳିବା ପାଇଁ ଅଂଚଳବାସୀମାନେ ଗଛର ଚତୁର୍ପାଶ୍ୱ ସଫା ରଖିଥାନ୍ତି l ଗଛ ପତ୍ର ମାନ ପଡି ଗଛ ତଳ ଅଳିଆ ହୋଇଥାଏ, ଯାହା ପାଇଁ ଫଳ ତୋଳିବାରେ ସେମାନଙ୍କୁ ଅସୁବିଧା ହୋଇଥାଏ l ଯାହା ପାଇଁ ସେମାନେ ନିଆଁ ଲଗାଇ ସ୍ଥାନ ସଫା କରିଥାନ୍ତି l ଏହି ନିଆଁ ଏକ ଗଛରୁ ଅନ୍ୟ ଅଂଚଳକୁ ବ୍ୟାପିଥାଏ, ଯାହା ଫଳରେ ଜଙ୍ଗଲ ପୋଡିର ଆରମ୍ଭ ହୋଇଥାଏ l
ଏହି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୂତନ ବ୍ୟବସ୍ଥା କରାଯାଇଛି l ଗଛର ମୂଳରେ ପତଳା ଜରି ଜାଲି ଖୁଣ୍ଟରେ ବାନ୍ଧିବା ପରେ ମହୁଲ ଫଳ ଏହି ଜାଲିରେ ରହିଥାଏ ଓ ସେମାନଙ୍କୁ ନେବାରେ ସୁବିଧା ହୋଇଥାଏ l ଫଳରେ ଆଉ ସେମାନେ ଅଗ୍ନି ସଂଯୋଗ କରନ୍ତି ନାହିଁ, ଆଉ ଜଙ୍ଗଲ ପୋଡ଼ି ମଧ୍ୟ ହୁଏ ନାହିଁ l ଏହି ସଚେତନତା କାର୍ଯ୍ୟକ୍ରମକୁ ଶିମିଳିପାଳ ଜଙ୍ଗଲର ବିଭିନ୍ନ ସ୍ଥାନରେ କରାଯାଇଥିଲା । ଏହି ସ୍ଥାନ ଗୁଡିକ ହେଲା ବାରିବଡା, ବ୍ରାହ୍ମଣକୁଣ୍ଡ, କାକିଡି, ବାଙ୍ଗିରିପୋଷି, କୁସୁମବନ୍ଧ l ଏହି କାର୍ଯ୍ୟକ୍ରମରେ ବହୁ ଅଂଚଳବାସୀ ସମର୍ଥନ ଦେବା ସହ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ l କିଛି ସାମ୍ବାଦିକ ବନ୍ଧୁ କହିଥିଲେ କିଛି ତ ନୂଆ ହେଲା l କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ଜୋତିଶ ଗୌରାଙ୍ଗ ନାୟକ, ଦେବେନ୍ଦ୍ର ନାୟକ, ତପନ କୁମାର ନାଥ, ରାକେଶ ବଳ, ହୃଷିକେଶ ମହାନ୍ତି, ସାମାଜିକ କର୍ମୀ ନିରୋଜ ପୋଥାଳ ସାମିଲ ଥିଲେ l

Editor 


