ଅଭିଜିତ୍ ମଜୁମଦାରଙ୍କ ପରଲୋକ

ଅଭିଜିତ୍ ମଜୁମଦାରଙ୍କ ପରଲୋକ

ଭୁବନେଶ୍ୱର,୨୫/୧ : ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ପରଲୋକ । ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଅଭିଜିତ୍ । ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ହରାଇଥିଲା ଓଡ଼ିଶା । ଆଜି ଅଭିଜିତ୍‌ଙ୍କୁ ହରାଇ ଭାଙ୍ଗିପଡିଛି ଓଡ଼ିଆ ସଙ୍ଗୀତ ଜଗତ ।

'କାଶିଆ କପିଳା’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ- ଅଭିଜତ୍‌ ମଜୁମଦାର କ୍ୟାସେଟରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ । ୨୦୦୦ ମସିହାରେ ‘କାଶିଆ କପିଳା’ସିନେମା ଜରିଆରେ ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍‌ । ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଧ୍ବ ଆଲବମ୍‌ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍‌ ଟ୍ବିଙ୍କ୍‌ଲ ଲିଟିଲ୍‌ ଷ୍ଟାର୍‌’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’ ପରି ଗୀତ ରହିଛି ।

ତାଙ୍କର ଅନେକ ଆଇଟମ୍‌ ଗୀତ ରହିଛି । ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛି । ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ କରିଛନ୍ତି। ଅଭିଜିତ୍‌ଙ୍କ ‘ରାତି ସାରା ବାର୍‌ ଲାଇଟ୍‌ ଦୁକୁ ଦୁକ’ ଗୀତ ତାଙ୍କ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ସ୍ୱର ଓ ଭେଟି ଦେଇଥିବା ସଙ୍ଗୀତ ଦର୍ଶକଙ୍କ ହୃଦୟରେ ରହିବ । 

ଚାଲିଗଲେ ଦାଦା- ଅଗଷ୍ଟ ୩୧ ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ଥିଲେ । ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା । ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି । କିଛିଦିନ ହେବ ତାଙ୍କ ବ୍ରେନ ଡେଡ୍‌ ଘୋଷଣା କରାଯାଇଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା । ଯାହାକୁ ଏମ୍ସ ଖଣ୍ଡନ କରିଥିଲା କିନ୍ତୁ ଆଜି ସତ ସତିକା ଦାଦାଙ୍କର ଦେହାନ୍ତ ହୋଇଛି ।