ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ , ୧୦୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ , ୧୦୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର,୨୪/୧ : ବିଶିଷ୍ଟ ସମାଜସେବୀ, ସମାଜ ସଂସ୍କାରକ, ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପ୍ରବକ୍ତା ରତ୍ନାକର ମାଣିଆଙ୍କ ୧୦୨ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରେଡକ୍ରସ ଭବନଠାରେ ରତ୍ନାକର ମାଣିଆ ଫାଉଣ୍ଡେସନ୍ ଆନୁକୂଲ୍ୟରେ ପୂର୍ବାହ୍ନରେ ଏହା ଆୟୋଜିତ ହୋଇଥିଲା । ସମାଜର ଅବହେଳିତ ଜନଗଣଙ୍କ ଦୁଃଖ ମୋଚନ ପାଇଁ ଅବିରତ ସଂଗ୍ରାମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ରତ୍ନାକର ମାଣିଆ ପ୍ରକୃତପକ୍ଷେ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ । ଉଚ୍ଚ ପ୍ରଶାସନିକ ପଦବୀରେ ଥାଇ ମଧ୍ୟ ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ସେ ଯତ୍ପରୋନାସ୍ତି ପ୍ରୟାସ କରିଆସିଥିଲେ । ସମାଜରେ ରହି ଆସିଥିଧବା କୁସଂସ୍କାର, ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ସେ ଉଦ୍ୟମ ଜାରି ରଖୁଥିଲେ । ସାମନ୍ତବାଦୀ ବ୍ୟବସ୍ଥା ବିରୁଦ୍ଧରେ ତାଙ୍କର ସ୍ବର ଶାଣିତ ଥିଲା I ସେ ଜଣେ ସଚୋଟ, ନିର୍ଭିକ ଓ ନିର୍ବିବାଦୀୟ ବ୍ୟକ୍ତି ଥିଲେ ବୋଲି ତାଙ୍କର ୧୦୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଉପସ୍ଥିତ ଅତିଥିଗଣ ମତ କରିଥିଲେ।

ଫାଉଣ୍ଡେସନର ସଭାପତି, ବରିଷ୍ଠ ସମାଜସେବୀ, ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ସମ୍ମୁଖ ଯୋଦ୍ଧା, ଅଖିଳ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଉପସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅର୍ଥନୀତି ବିଶାରଦ, ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି, ବିଶ୍ଵବ୍ୟାଙ୍କର ଅର୍ଥନୈତିକ ପରାମର୍ଶଦାତା ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥି, ପ୍ରାକ୍ତନ ବିଧାୟିକା, ବରୀ ସୁନନ୍ଦା ଦାସ ସମ୍ମାନୀତ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ ଦୁର୍ଯ୍ୟୋଧନ କାଠୁଆ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। 

ଏହି ଅବସରରେ ସୁଶ୍ରୀ ଶ୍ରୀୟା ଦାସଙ୍କୁ ଚଳିତ ବର୍ଷର ରତ୍ନାକର ମାଣିଆ ବିଦ୍ୟାର୍ଥୀ ପୁରସ୍କାର ଓ ସର୍ବଶ୍ରୀ ଶଙ୍କର୍ଷଣ ବେହେରା, ଗୌରହରି ବାରିକ, ନୃସିଂହ ନାରାୟଣ ଦାସଙ୍କୁ ରତ୍ନାକର ମାଣିଆ ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ସମାଜସେବୀ, ସ୍ତମ୍ଭକାର, ଫାଉଣ୍ଡେସନର ଉପସଭାପତି କ୍ଷେତ୍ରମୋହନ ଦାସ ସ୍ଵାଗତ ଭାଷଣ ଦେଇଥିଲେ। ପ୍ରାକ୍ତନ ପ୍ରଶ୍ନ ସନିକ ଅଧିକାରୀ ଗୌରହରି ବାରିକ, ଫାଉଣ୍ଡେସନର ଅନ୍ୟତମ ଉପସଭାପତି ଡଃ କାର୍ତିକ ଚନ୍ଦ୍ର ପୃଷ୍ଟି, କିଶୋର ମାଣିଆ, ଗୋପବନ୍ଧୁ ଦାସ, ରାମଚନ୍ଦ୍ର ପାଣ୍ଡବ, ନୃସିଂହ ଚରଣ ବେହେରା, ଡଃ ଜୟନ୍ତୀ ମାଣିଆ ଓ ଉତ୍କଳ ଯାଦବ ମହାସଭାର ଉପଦେଷ୍ଟା ଲକ୍ଷ୍ମୀଧର ବେହେରା ପ୍ରମୁଖ ଏହି ଅବସରରେ ସ୍ଵର୍ଗତ ମାଣିଆ କୀର୍ତ୍ତି ଓ କୃତି ସମ୍ପର୍କରେ ବକ୍ତବ୍ୟ ରଖ୍ ଶ୍ରଦ୍ଧା ନିବେଦନ କରିଥିଲେ । ଫାଉଣ୍ଡେସନର ସଂପାଦକ କର୍ପୋରେଟର ରାଜକିଶୋର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।