ଖୁଣ୍ଟା ଜାଭିୟର ସ୍କୁଲର ବାର୍ଷିକ ଉତ୍ସବ ; ଚାପମୁକ୍ତ ଶିକ୍ଷା ଉପରେ ଗୁରୁତ୍ବାରୋପ

ଖୁଣ୍ଟା, ୨୯/୩ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାସ୍ଥିତ ସେଣ୍ଟ ଜାଭିୟର ବିଦ୍ୟାଳୟ ପକ୍ଷରୁ ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ମମତା ରାଜଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିଟିଆର ଉପ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମିଶ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିରଞ୍ଚିନାରାୟଣ ଦାସ, ସମ୍ମାନୀତ ଅତିଥି ଭାବେ ସାନଖୁଣ୍ଟା ସରପଞ୍ଚ ସୁମୀ ହାଁସଦା, ଖୁଣ୍ଟା ଫରେଷ୍ଟର ଅର୍ପୀତା ଦେବାଙ୍ଗନା, ସି.ଆର.ସି.ସି ଜତିନ୍ଦ୍ରନାଥ ମହାନ୍ତଙ୍କ ସମେତ ଜାଭିୟର ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସତ୍ୟନାରାୟଣ ରାଜ ପ୍ରମୁଖ ଯୋଗଦେଇଥିଲେ ।
ଶିକ୍ଷା କେବଳ ବିଦ୍ୟାର୍ଥୀକୁ ଶିକ୍ଷିତ କରାଇ ନ ଥାଏ ଏକ ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନ କରିବାରେ ସହାୟକ ହୋଇଥାଏ । ଏବଂ ପ୍ରାଥମିକ ଶିକ୍ଷା ହିଁ ଶିକ୍ଷାଜୀବନର ମୂଳଦୁଆକୁ ସୁଦୃଢ଼ କରିଥାଏ | ତେଣୁ ଉଭୟ ଶିକ୍ଷକ ଓ ବିଦ୍ୟାର୍ଥି ଏଥିପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ଚାପ ମୁକ୍ତ ଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିବାବେଳେ ମୁଖ୍ୟବକ୍ତା ଶ୍ରୀ ଦାସ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହ ଆଧ୍ୟାତ୍ମିକ ଶିକ୍ଷାଗ୍ରହଣ ପ୍ରତି ଆକୃଷ୍ଟ କରିବା ପାଇଁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜ ବାର୍ଷୀକ ବିବରଣୀ ପଠ କରିଥିବା ବେଳେ ଶିକ୍ଷୟତ୍ରୀ ବବିତା ମୁର୍ମୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଭଙ୍ଗ କରିଥିଲେ ।