ତ୍ରିଲୋଚନଙ୍କ "ମୁଁ ଗଛ କହୁଛି" କାର୍ଯକ୍ରମକୁ ସାଂସଦଙ୍କ ପ୍ରଶଂସା

ତ୍ରିଲୋଚନଙ୍କ "ମୁଁ ଗଛ କହୁଛି" କାର୍ଯକ୍ରମକୁ ସାଂସଦଙ୍କ ପ୍ରଶଂସା

ଭୁବନେଶ୍ବର, ୨୩/୧୨ : ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁଙ୍କ "ମୁଁ ଗଛ କହୁଛି" କାର୍ଯ୍ୟକ୍ରମକୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ନିଜର ଜନ୍ମ ଦିନରେ ଅତି କମରେ ଗୋଟିଏ ଗଛ ଲଗାଇବା ଏବଂ ଏହାର ଯତ୍ନ ନେବା । ଆନନ୍ଦପୁର ପ୍ରେସ କ୍ଲବ୍ ଦ୍ଵାରା ଆୟୋଜିତ ଆନନ୍ଦପୁର ବାଣିଜ୍ୟ ମହୋତ୍ସବର ଉଦଯାପନୀ ସଭା ଅବସରରେ ଆଜି କେନ୍ଦୁଝରର ସାଂସଦ ଅନନ୍ତ ନାୟକ ତ୍ରିଲୋଚନ ସାହୁଙ୍କ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ବନ୍ୟପ୍ରାଣୀ ସଂରକ୍ଷଣ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଧିକରୁ ଅଧିକ ଔଷଧୀୟ ବୃକ୍ଷ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ତ୍ରିଲୋଚନ ସାହୁ ଫକୀରପୁରରେ ସୃଷ୍ଟି କରିଥିବା କ୍ଷୁଦ୍ର ବନକୁ ଏବଂ ବିଭିନ୍ନ ସ୍ଥାନରେ ଲଗାଇଥିବା ବୃକ୍ଷରୋପଣ, ପରିବେଶ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ କାର୍ଯ୍ୟକୁ ସାଂସଦ ଖୁବ୍ ପ୍ରଶଂସା କରିଥିଲେ । କ୍ଷୁଦ୍ର ବନକୁ କେବେ ସମୟ ହେଲେ ଦେଖିବେ ବୋଲି କହିଥିଲେ । କେନ୍ଦୁଝର ପୌରପରିଷଦ ଅଧ୍ୟକ୍ଷା ନିକୁ ସାହୁ, ବିଜେପି ରାଜ୍ୟ ସମ୍ପାଦିକା ମମତା ସିଂହ, ଆନନ୍ଦପୁର ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ରାମ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଘଷିପୁରା ବିଜେପି ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ, ଆନନ୍ଦପୁର ପ୍ରେସ କ୍ଲବର ସଭାପତି ନାରାୟଣ ସାହୁ, ସମ୍ପାଦକ ସନ୍ତୋଷ ରାଉତଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଓ ଉପସ୍ଥିତ ବିଭିନ୍ନ ବୁଦ୍ଧିଜୀବୀ ପ୍ରମୁଖ ତ୍ରିଲୋଚନ ସାହୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ବୃକ୍ଷ ରୋପଣ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅଧିକ କାମ କରିବେ ବୋଲି ଶ୍ରୀ ସାହୁ କହିଥିଲେ ।