ମାଟ୍ରିକ ପରୀକ୍ଷା ଟପ୍ପର ଦିବ୍ୟାନୀଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା
 
                                ଭୁବନେଶ୍ବର,୨୮/୫ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ତ ହଳଧରପୁର ଗ୍ରାମର ବାପା ବିବେକାନନ୍ଦ ରାଉତ ଓ ମା’ ସିପ୍ରା ରାଉତଙ୍କ ଝିଅ ଦିବ୍ୟାନୀ ରାଉତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୪୪ନମ୍ବର ରଖି ଏ୧ ଗ୍ରେଡ ପାସ୍ କରିଛନ୍ତି । ମଙ୍ଗଳବାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦିବ୍ୟାନୀଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ସହ କିଛି ଉପାଦେୟ ପାଠ୍ୟ ପୁସ୍ତକ ଏବଂ ଛବିଳ ମଧୁବର୍ଣ୍ଣ ବୋଧ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
 
ଦିବ୍ୟାନୀ ଜଣେ ମଫସଲି ଅଭାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ପାଠପଢ଼ା ପ୍ରତି ନିଷ୍ଠା ଏକାଗ୍ରତା ଓ ଗୁରୁଜନଙ୍କ ପ୍ରତି ଭକ୍ତି ଯୋଗୁଁ ଆଜି ପଞ୍ଚାୟତ ଉଚ୍ଚବିଦ୍ୟାୟଳୟରେ ଟପ୍ପର ହେବା ସହ ଦକ୍ଷିଣେଶ୍ୱର ହାଇସ୍କୁଲ ସେଣ୍ଟରରେ ଟପ୍ପର ହୋଇଛନ୍ତି । ତାଙ୍କର ସଫଳତା ପାଇଁ ଆଖପାଖ ଅଞ୍ଚଳରୁ ଶୁଭେଚ୍ଛା ସୁଅ ଛୁଟିଛି । ଦିବ୍ୟାନୀଙ୍କ ବାପା ଘରର ଏକମାତ୍ର ରୋଜଗାରକାରୀ ହୋଇଥିବାବେଳେ ଦୁର୍ଘଟଣା ବଶତ ସେ ତାଙ୍କର ଗୋଟେ ହାତ ହରାଇ ବସିଛନ୍ତି । ଏତେ ଅଭାବରେ ଥାଇ ମଧ୍ୟ ଦିବ୍ୟାନୀଙ୍କ ପିତା ମାତା ତାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବାକୁ ଶିକ୍ଷକମାନଙ୍କ ପାଖରେ କାକୁତି ମିନତି କରିଛନ୍ତି । ଦିବ୍ୟାନୀ ସରକାରୀ ବିଦ୍ୟାଳୟରେ ପାଠ ପଢି ମଧ୍ୟ ପଟ୍ଟାମୁଣ୍ଡାଇ ବ୍ଲକର ଗର୍ବ ଓ ଗୌରବ ହୋଇ ପାରିଛନ୍ତି।
ପାଠ ପଢା ବ୍ୟତୀତ ବକ୍ତୃକ୍ତା, ମଞ୍ଚ ଉପସ୍ଥାପନା ଓ ବିଭିନ୍ନ ଶ୍ରେଣୀରେ ଛାତ୍ର ବୃତ୍ତି ପାଇଁ ସେ ନିଜକୁ ଅଞ୍ଚଳର ଯଶଶ୍ଵୀ କରିପାରିଛନ୍ତି । ତାଙ୍କ ସଫଳତାର ଶ୍ରେୟ ସେ ତାଙ୍କ ପିତା ମାତା, ଗୁରୁଜୀ ଗୁରୁମା ଓ ଗ୍ରାମର ଗୁରୁ ଗୁରୁଜନଙ୍କୁ ଅର୍ପଣ କରିଛନ୍ତି । ତାଙ୍କର ଶିକ୍ଷାର ମୁଖ୍ୟ ଶ୍ରେୟ ତାଙ୍କର ଗୁରୁ ସଞ୍ଜୀବ ତରାଇଙ୍କୁ ଦେଇଥିବାବେଳେ ଶିକ୍ଷା ଏବଂ ସଂସ୍କାରର ଭଣ୍ଡାର ତାଙ୍କର କୋଚିଂ ସରସ୍ଵତୀ ସେବା ସଙ୍ଗଠନର ନାମ ପ୍ରକାଶ କରିଛନ୍ତି । ନୈତିକ ଜ୍ଞାନ ପ୍ରାପ୍ତି ହେଲେ ବୌଦ୍ଧିକ ବିକାଶ ସହଜରେ ହୋଇପାରିବ ବୋଲି ଦିବ୍ୟାନୀ ତାଙ୍କ ମତ ରଖନ୍ତି । ଏହି ଅବସରରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, କୋଷାଧ୍ୟକ୍ଷ ବିଭୂପ୍ରସାଦ ସାହୁ, ଆଇନଜୀବୀ ନଳିନୀ କାନ୍ତ ବେହେରା, ସଂଗ୍ରାମ ଦାସ, ସୁରେନ୍ଦ୍ର ପରିଡ଼ା, ନିମାଇଁ ଚରଣ ଦାସ, ଗଜେନ୍ଦ୍ର ସାମଲ, ସଞ୍ଜୟ ପୃଷ୍ଟି, ଦେବାଶିଷ ପରିଡ଼ା, ଅମୀୟ ସାହୁ, ବିକ୍ରମ ଦାସ ଓ ଅନୁଷୟା ସାମଲ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।
 

 Editor
                                    Editor                                 
    
             
    
             
    
             
    
             
    
             
    
            

 
    
 
    
 
    
 
    
 
    

